୩୦୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷରିତ କଲେ ଭାରତ-ଆମେରିକା

୩୦୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷରିତ କଲେ ଭାରତ-ଆମେରିକା

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#୩୦୦_କୋଟି_ଡଲାରର_ଚୁକ୍ତି_ସ୍ୱାକ୍ଷରିତ_କଲେ_ଭାରତ_ଆମେରିକା   ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହାଇଦ୍ରାବାଦ ହାଉସରେ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଏଥିରେ ଆତଙ୍କବାଦ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ବାଣିଜ୍ୟିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ସମୟରେ ଉଭୟ ଦେଶ ପରସ୍ପର ସହ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି କରିଛନ୍ତି।

ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହି ଡିଲ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକ ପରେ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, “ଆଜି ଆମେ ପରସ୍ପର ମଧ୍ୟରେ ପ୍ରତିରକ୍ଷା ବୁଝାମଣାକୁ ଅଧିକ ଦୃଢ଼ କରିଛୁ। ଆଜି ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ହୋଇଛି। ଭାରତ ସରକାର ଆମେରିକା ଠାରୁ ୩୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କିଣିବେ। ଏଥିରେ ଆପାଚେ ଓ ଏମଏଚ୍‌-୬୦ ରୋମିଓ ହେଲିକପ୍ଟର ରହିଛି। ଏହା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ହେଲିକପ୍ଟର। ଏହା ଆମର ଯୁଗ୍ମ ଡିଫେନ୍ସ କ୍ଷମତାକୁ ଅଧିକ ସୁଦୃଢ଼ କରିବ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଭଳି ପ୍ରତିରକ୍ଷା ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି। ଆମେରିକା ସହ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ଭାରତ ସରକାର ୱାଶିଂଟନଠାରୁ ୨୬୦ କୋଟି ଡଲାର ବିନିମୟରେ ୨୪ଟି ଏମଏଚ୍‌ ୬୦ ରୋମିଓ ହେଲିକପ୍ଟର ଆଣିବେ। ଏହା ଭାରତୀୟ ନୌସେନା ବ୍ୟବହାର କରିବ। ସେହିପରି ପ୍ରାୟ ୮୦୦ ନିୟୁତରୁ ଅଧିକ ଡଲାର ଦେଇ ଭାରତ ସରକାର ଆମେରିକା ଠାରୁ ସ୍ଥଳସେନା ପାଇଁ ୬ଟି ଏଏଚ୍‌-୬୪ ଇ ଆପାଚେ ହେଲିକପ୍ଟର ଆଣିବେ।

ଗତକାଲି ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଟ୍ରମ୍ପ ଭାରତ ସହ ହେବାକୁ ଥିବା ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ।

ଏଥିସହ ବଡ଼ଧରଣର ବାଣିଜ୍ୟ ଚୁକ୍ତି ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ହେଲେ ଆଜି କୌଣସି ପ୍ରକାରର ବାଣିଜ୍ୟ ଚୁକ୍ତି ଉଭୟ ଦେଶ ମଧ୍ୟରେ ହୋଇନାହିଁ। ଟ୍ରେଡ୍‌ ଡିଲ୍‌ ପାଇଁ ଆଲୋଚନା ଜୋରଦାର ଓ ଠିକ୍‌ ମାର୍ଗରେ ଚାଲିଥିବା ଟ୍ରମ୍ପ ଆଜି ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି। ଏଥିସହ ଏବେ ଭାରତ ସହ ଯେମିତି ସୁସମ୍ପର୍କ ରହିଛି ପୂର୍ବରୁ କେବେ ବି ଏମିତି ହୋଇ ନଥିଲା ବୋଲି ଟ୍ରମ୍ପ କହିଛନ୍ତି।

ଗତକାଲି ଟ୍ରମ୍ପ କହିଥିଲେ, ଆମେ ବର୍ତ୍ତମାନ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ବିମାନ, ହେଲିକପ୍ଟର, ମିସାଇଲ, ରକେଟ ଓ ଜାହାଜ ନିର୍ମାଣ କରିଛୁ। ଏଗୁଡ଼ିକୁ ଆମେ ଭାରତକୁ ବିକ୍ରି କରିବାକୁ ଚୁକ୍ତି କରିବୁ।