୨୪ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସରକାରୀ ଗସ୍ତରେ ଭାରତ ଆସିବେ। ତାଙ୍କ ସହ ପତ୍ନୀ ମେଲେନିଆ ଟ୍ରମ୍ପ ଆସିବେ। ଏକ ସରକାରୀ ଇସ୍ତାହାର ଅନୁଯାୟୀ ଟ୍ରମ୍ପ ତାଙ୍କର ଦୁଇଦିନିଆ ଗସ୍ତ ସମୟରେ ନୂଆଦିଲ୍ଲୀ ଓ ଗୁଜୁରାଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି। ସୂଚନା ଅନୁଯାୟୀ, ଭାରତ ଓ ଆମେରିକା ମଧ୍ୟରେ ଭାଗିଦାରୀ ସମ୍ପର୍କ ପାରସ୍ପରିକ ବିଶ୍ୱାସ, ମୂଲ୍ୟବୋଧ, ବୁଝାମଣା ଓ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଉପରେ ପର୍ଯ୍ୟବେସିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିପାରିଛି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଆତଙ୍କବାଦର ଦମନ ଓ ଶକ୍ତି କ୍ଷେତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଉଚ୍ଚ ଶିଖରକୁ ଛୁଇଁଛି।

ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ସହ ଭାଗିଦାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଟ୍ରମ୍ପ ପ୍ରଶାସନ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ୨୦୨୧ ଆର୍ଥିକ ବର୍ଷ ବଜେଟରେ ଦେଢ଼ଶହ କୋଟି ଡଲାର ଅର୍ଥର ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‍ ଓବାମା ୨୦୧୦ ଓ ୨୦୧୫ରେ ଦୁଇଥର ଭାରତ ଗସ୍ତରେ ଆସିଥିଲେ।