୨୦୨୧ ଜନଗଣନା ଓ ଏନପିଆର ସଂଶୋଧନର ପ୍ରଥମ ପର୍ଯ୍ୟାୟ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚିଲା

୨୦୨୧ ଜନଗଣନା ଓ ଏନପିଆର ସଂଶୋଧନର ପ୍ରଥମ ପର୍ଯ୍ୟାୟ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚିଲା

ଦେଶ -ବିଦେଶ ବଡ ଖବର

#ଜନଗଣନା_ଓ_ଏନପିଆର_ସଂଶୋଧନର_ପ୍ରଥମ_ପର୍ଯ୍ୟାୟ_ଅନ୍ୟାଦେଶ_ପର୍ଯ୍ୟନ୍ତ_ଘୁଞ୍ଚିଲା        ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ ବ୍ୟାପିବା କାରଣରୁ ୨୦୨୧ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର୍) ସଂଶୋଧନର ପ୍ରଥମ ପର୍ଯ୍ୟାୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏପ୍ରିଲ ପହିଲା ୨୦୨୦ ଠାରୁ ବିଭିନ୍ନ ତାରିଖରେ ଜନଗଣନା ଏବଂ ଏନପିଆର ସଂଶୋଧନ ଆରମ୍ଭ ହେବାର ଥିଲା ।
ସୂଚନାଯୋଗ୍ୟ ଯେ ଦୁଇଟି ପର୍ଯ୍ୟାୟରେ ୨୦୨୧ ଜନଗଣନା ଲାଗି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଥିଲା । ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଘର ତାଲିକା ଏବଂ ଘର ଗଣନା ହୋଇଥାନ୍ତା । ସେହିପରି ୯ରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହୋଇଥାନ୍ତା ।

Image result for census and npr

ସେହିପରି ଆସାମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଜନଗଣନା ୨୦୨୧ ପ୍ରଥମ ପର୍ଯ୍ୟାୟରେ ଏନପିଆର ସଂଶୋଧନ କରାଯିବାକୁ ଚୂଡ଼ାନ୍ତ ହୋଇଥିଲା । ମାତ୍ର କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଦେଶରେ କୋଭିଡ-୧୯ ମହାମାରୀ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ଆବଶ୍ୟକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ୨୪ ମାର୍ଚ୍ଚ, ୨୦୨୦ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଭାରତ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ମଧ୍ୟ ସମାନ ପ୍ରତିବନ୍ଧକ ଜାରି କରାଯାଇଛି । ସାମାଜିକ ଦୂରତା ରକ୍ଷା ସମେତ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ୨୦୨୧ ଜନଗଣନାର ପ୍ରଥମ ପର୍ଯ୍ୟାୟକୁ ଘୁଂଚାଇ ଦେବା ନିମନ୍ତେ ନିଷ୍ପତି ନିଆଯାଇଛି ।