୧୯୬୫ ଯୁଦ୍ଧରେ ଭାରତ ଉପରେ ବୋମା ବର୍ଷଣ କରିଥିଲେ ଆଦନାନ ସାମିଙ୍କ ବାପା

ଦେଶ -ବିଦେଶ ବଡ ଖବର ବିଶେଷ

ନୂଆଦିଲ୍ଲୀ :  ଗାୟକ ଆଦନାନ ସାମିଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛି। ଏହା ପରେ ବିବାଦ ଦେଖା ଦେଇଛି। ଏହାର କାରଣ ଯେଉଁ ବ୍ୟକ୍ତିଙ୍କ ବାପା ଭାରତ ବିରୁଦ୍ଧରେ ଯୁଦ୍ଧ ଲଢ଼ିଛନ୍ତି ତାଙ୍କ ପୁଅଙ୍କୁ କିପରି ସମ୍ମାନ ମିଳି ପାରିବ? ଆଦନାନ ସାମିଙ୍କ ବାପା ଅରଶଦ ସାମି ଖାନ୍ ପାକିସ୍ତାନୀ ଏୟାରଫୋର୍ସ ତରଫରୁ ୧୯୬୫ମସିହା ଯୁଦ୍ଧରେ ଭାରତ ବିରୁଦ୍ଧରେ ଯୁଦ୍ଧରେ ସାମିଲ ଥିଲେ।

୧୯୬୫ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅରଶଦ ସାମି ଖାନ୍ ପାକିସ୍ତାନୀ ଏୟାରଫୋର୍ସରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିଲେ। ପାକିସ୍ତାନ ଏୟାରଫୋର୍ସ ମ୍ୟୁଜିୟମର ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଅରଶଦ ସାମି ଖାନ୍ ସେହି ଯୁଦ୍ଧରେ ଗୋଟିଏ ଲଢ଼ୁଆ ବିମାନ,୧୫ଟି ଟ୍ୟାଙ୍କ ଏବଂ ୨୨ଟି ସୈନ୍ୟ ଗାଡ଼ିକୁ ଧ୍ବଂସ କରିଥିଲେ। ଏହି ସାହସିକତା ପାଇଁ ପାକିସ୍ତାନ ସରକାର ତାଙ୍କୁ ସିତାରା-ଏ-ଜୁର୍ରତ ଆଓ୍ବାର୍ଡ଼ ଦେଇଥିଲେ।ପାକିସ୍ତାନର ଏୟାରଫୋର୍ସ ମ୍ୟୁଜିୟମରେ ଆଜି ମଧ୍ୟ ଅରଶଦ ସାମି ଖାନଙ୍କ ସାହସିକତାର ଫଟୋ ଏବଂ କାହାଣୀ ରଖାଯାଇଛି। ଅରଶଦ ସାମି ଖାନ୍ ୧୯୭୨ମସିହାରେ ପାକିସ୍ତାନୀ ବାୟୁସେନାରୁ ଅବସର ନେଇଥିଲେ ଏବଂ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ସରକାର ସମୟରେ ପାକିସ୍ତାନୀ ବୈଦେଶିକ ସେବାରେ ସାମିଲ ହୋଇଥିଲେ।

ଆଦନାନ ସାମିଙ୍କ ବାପା ଅରଶଦ ସାମି ଖାନ୍ ୧୯୪୨ମସିହା ଜାନୁୟାରୀ ୮ତାରିଖରେ ଆଫଗାନିସ୍ତାନର ହେରାତରେ ଜନ୍ମ ହୋଇଥିଲେ। ଆଦନାନଙ୍କ ଜେଜେବାପା ଅବଦୁଲ୍ ସାମି ଖାନ୍ ହେରାତର ଡେପୁଟି ଜେନେରାଲ୍ ଅଫ୍ ପୋଲିସ୍(ଡିଜିପି) ଥିଲେ। ସେହି ସମୟରେ ଭାରତ ଏବଂ ପାକିସ୍ତାନରେ ବିଭାଜନ ହୋଇନଥିଲା। ଆଫଗାନିସ୍ତାନରେ ହୋଇଥିବା ବାଛା ସାକ୍ବା/ହବିବୁଲ୍ଲା କକାନୀ କ୍ରାନ୍ତି ସମୟରେ ଅରଶଦ ସାମି ଖାନଙ୍କ ଜେଜେ ବାପା ମେହଫୁଜ ଜନଙ୍କୁ ହତ୍ୟା କରି ଦିଆଯାଇଥିଲା। ଏହା ପରେ ଅରଶଦ ସାମି ଖାନଙ୍କ ପରିବାର ଆଫଗାନିସ୍ତାନର ହେରାତରୁ ଚାଲି ଯାଇ ପାକିସ୍ତାନର ପେଶାଓ୍ବରରେ ରହିଥିଲେ।

ପାରିବାରିକ ପରମ୍ପରାକୁ ମାନି ଆଦନାନଙ୍କ ବାପା ଅରଶଦ ସାମି ଖାନ୍ ମଧ୍ୟ ପାକିସ୍ତାନୀ ବାୟୁସେନାରେ ଯୋଗ ଦେଇଥିଲେ। ପାକିସ୍ତାନ ସରକାର ତାଙ୍କୁ ସିତାରା-ଏ-ଜୁର୍ରତ ଆଓ୍ବାର୍ଡ଼ ଦେବା ସମୟରେ ସେ ସେହି ଦେଶର ହୀରୋ ହୋଇ ଯାଇଥିଲେ। ଏହା ପାକିସ୍ତାନୀ ସେନାର ତୃତୀୟ ସବୁଠୁ ବଡ଼ ସାହସିକତା ପୁରସ୍କାର।ଅରଶଦ ସାମି ଖାନ୍ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନ୍,ୟାହ୍ୟା ଖାନ୍ ଏବଂ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଏଡିସି ଥିଲେ। ଅରଶଦ ଅନେକ ଦେଶରେ ପାକିସ୍ତାନର ରାଷ୍ଟ୍ରଦୂତ ଥିଲେ। ୧୯୮୯ମସିହାରେ ତାଙ୍କୁ ଯକୃତ କ୍ୟାନସର ହୋଇଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଲଣ୍ଡନର କ୍ରୋମବେଲ୍ ହସ୍ପିଟାଲରେ ଚାଲିଥିଲା। ଏହା ପରେ ପାଖାପାଖି ୨୦ବର୍ଷ ପରେ ତାଙ୍କର ମୁମ୍ବାଇର କୋକିଳାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ୨୦୦୯ମସିହା ଜୁନ୍ ୨୨ତାରିଖରେ ପରଲୋକ ହୋଇଥିଲା।