୧୯୨୦ ମସିହାରେ ଭାରତରେ ପ୍ରଥମ ବିମୁଦ୍ରାକରଣ ହୋଇଥିଲା

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ରେ ମୋଦୀ ସରକାର ଦେଶରେ ବିମୁଦ୍ରାକରଣ କରି ଦେଶବାସୀଙ୍କୁ ଚକ୍କିତ କରିଥିଲେ।  ତେବେ ଏହି ବିମୁଦ୍ରାକରଣ ନୂଆ ନ ଥିଲା। ପୂର୍ବରୁ ମଧ୍ୟ ବିମୁଦ୍ରାକରଣ ହୋଇଛି। ଇତିହାସରୁ ଜଣାଯାଏ ୧୦୦ ବର୍ଷ ତଳେ ଅର୍ଥାତ ୧୯୨୦ ମସିହାରେ ପରାଧୀନ ଭାରତରେ ପ୍ରଥମ ବିମୁଦ୍ରାକରଣ ହୋଇଥିଲା। ହାଇଦ୍ରାବାଦର ତତ୍କାଳୀନ ସରକାର ନିଜାମ ଏହି ବିମୁଦ୍ରାକରଣ କରିଥିଲେ, ଯାହାର ୧୦୦ ବର୍ଷ ପୂରଣ ହୋଇଛି।

ନିଜାମ ୧୯୧୮ ମସିହାରେ ୧୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ କାଗଜ ନୋଟ୍‌ ଜାରି କରିଥିଲେ। ଏହାର ବର୍ଷକ ପରେ ୧ ଟଙ୍କିଆ ନୋଟ୍‌ ଜାରି କଲେ। ପ୍ରଥମ ବିଶ୍ଵଯୁଦ୍ଧ ପରେ ପରେ ରୁପା ଧାତୁ ମିଳିବାରେ ଅଭାବ ପରିଲକ୍ଷିତ ହେବାରୁ ନିଜାମ କାଗଜ ଟଙ୍କା ଛାପିଥିଲେ। କିନ୍ତୁ ସେତେବେଳେ ଲୋକେ ଏହାକୁ ଗ୍ରହଣ କଲେନାହିଁ। ୧ ଟଙ୍କିଆ ରୌପ୍ୟ ମୁଦ୍ରାର ସ୍ବତନ୍ତ୍ର ମୂଲ୍ୟ ରହିଥିଲା ବେଳେ କାଗଜ ନୋଟର କୌଣସି ଅନ୍ତର୍ନିହିତ ମୂଲ୍ୟ ନ ଥିଲା। ସେହିପରି ନୋଟର ରଙ୍ଗ କଳା ଥିଲା। ଏସବୁ କାରଣରୁ ଲୋକମାନେ ୧ ଟଙ୍କିଆ କାଗଜ ନୋଟ୍‌କୁ ନେଲେ ନାହିଁ। ଫଳ​‌ରେ ବାଧ୍ୟହୋଇ ନିଜାମ ୧ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେଲେ। ଏହା ଥିଲା ପ୍ରଥମ ବିମୁଦ୍ରାକରଣ।