୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟ : ପାକିସ୍ତାନକୁ ୧୦ଓ୍ବିକେଟ୍‌ରେ ହରାଇଲା ଭାରତ

ଖେଳ ଦେଶ -ବିଦେଶ ବଡ ଖବର

ପୋଚେଫଷ୍ଟ୍ରୁମ୍‌: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ । ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପ୍ନର ଯଶସ୍ୱୀ ଜୈସୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୦ ୱିକେଟରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଫାଇନାଲରେ ଭାରତର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ କିମ୍ବା ବାଂଲାଦେଶ ସହ ହେବ। ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ କ୍ରମାଗତ ତୃତୀୟଥର ଲାଗି ଫାଇନାଲ୍ ଟିକେଟ୍ କାଟିଛି।

ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୧୭୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ମାତ୍ର ୩୫.୨ ଓଭରରେ ବିନା ୱିକେଟ୍ ହରାଇ ୧୭୬ ରନ୍ କରି ଏକତରଫା ବିଜୟ ହାସଲ କରିଛି। ଭାରତର ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶଙ୍କୁ ଆଉଟ୍ କରିବା ପାଇଁ ପାକିସ୍ତାନୀ ବୋଲରଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା। ଦୁହେଁ ପାକିସ୍ତାନ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଜବରଦସ୍ତ ଫର୍ମରେ ଥିବା ଯଶସ୍ୱୀ ନିଜର ପ୍ରଥମ ବିଶ୍ୱକପ୍ ଶତକ ମାରିଛନ୍ତି। ସେ ୧୧୩ ବଲରେ ୮ ଚୌକା ଓ ୪ ଛକା ସହ ୧୦୫ ଏବଂ ଦିବ୍ୟାଂଶ ୯୯ ବଲରେ ୬ ଚୌକା ସହ ୫୯ ରନ୍ କରି ଅପରାଜିତ ରହିଛନ୍ତି।

ଏହା ପୂର୍ବରୁ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ କ୍ୟାପଟେନ୍ ରୋହେଲ୍ ନାଜିରଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଯେଉଁ କାରଣରୁ ଟିମ୍ ୪୩.୧ ଓଭର ଖେଳି ତା’ର ସମସ୍ତ ୱିକେଟ୍ ହରାଇ ଦେଇଛି। ୩୪ ରନରେ ପାକିସ୍ତାନ ତା’ର ଦୁଇ ଶୀର୍ଷ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡିଥିଲା।

ଓପ୍ନର ମହମ୍ମଦ ହୁରେରା ୪ ରନ୍ କରିଥିବା ବେଳେ ସୁଶାନ୍ତ ମିଶ୍ରଙ୍କ ଶିକାର ହୋଇଥିବା ବେଳେ ଫହାଦ୍ ମୁନିର ଖାତା ଖୋଲିବା ପୂର୍ବରୁ ରବି ବିଶ୍ନୋଇଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ହାଇଦର୍ ଓ ରୋହେଲ୍ ସ୍ଥିତି ସମ୍ଭାଳିଥିଲେ ହେଁ ତୃତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ। ଏହି ସେଟ୍ ଯୋଡ଼ିକୁ ଯଶସ୍ୱୀ ଜୈସୱାଲ୍ ଭାଙ୍ଗିଥିଲେ। ହାଇଦର ୭୭ ବଲରେ ୯ ଚୌକା ସହ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କାସିମ୍ ଆକ୍ରାମ୍ ମାତ୍ର ୯ ରନ୍ କରି ରନଆଉଟ୍ ହୋଇଥିଲେ।

ମହମ୍ମଦ ହାରିସ୍ ଆସିବା ମାତ୍ରକେ ଦ୍ରୁତ ରନ୍ କରିଥିଲେ। କିନ୍ତୁ ତାଙ୍କୁ କ୍ରିଜରେ ବେଶୀ ସମୟ ରହିବାକୁ ଦେଇନଥିଲେ ଅର୍ଥବ ଅଙ୍କୋଲେକର। ଅଙ୍କୋଲେକରଙ୍କ ବଲରେ କାସିମ୍ ଛକା ମାରିବାକୁ ପ୍ରୟାସ କରିଥିଲେ, କିନ୍ତୁ ବାଉଣ୍ଡ୍ରୀରେ ଦିବ୍ୟାଂଶ ସାକ୍ସେନା ଚମତ୍କାର କ୍ୟାଚ୍ ନେଇ ପାକିସ୍ତାନର ପଞ୍ଚମ ୱିକେଟର ପତନ ଘଟାଇଥିଲେ । କାମିସ୍ ୧୫ ବଲରେ ୧ ଛକା ଓ ୧ ଚୌକା ସହ ୨୧ ରନ୍ କରିଥିଲେ। ଏହା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା।

ଦଳ ତା’ର ଶେଷ ୫ ୱିକେଟ୍ ମାତ୍ର ୨୬ ରନରେ ହରାଇଥôଲା। ରୋହେଲ୍ ସର୍ବାଧିକ ୬୨ (୧୦୨ ବଲ୍‌, ୬ ଚୌକା) ରନ୍ କରିଥିବା ବେଳେ ଇରଫାନ୍ ଖାନ୍ (୩), ଆବାସ ଆଫ୍ରିଦି (୨), ତାହିର୍ ହୁସେନ୍ (୨) ଓ ଆମୀର ଅଲୀ (୧) ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ ସୁଶାନ୍ତ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କାର୍ତ୍ତିକ ଓ ବିଶ୍ନୋଇ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଅଙ୍କୋଲେକର ଓ ଯଶସ୍ୱୀ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୧୭୨, ୪୩.୧ ଓଭର: ରୋହେଲ୍ ନାଜିର୍ ୬୨, ହାଇଦର ଅଲୀ ୫୬, ମହମ୍ମଦ ହାରିସ୍ ୨୧, ସୁଶାନ୍ତ ମିଶ୍ର ୩/୨୮, କାର୍ତ୍ତିକ ତ୍ୟାଗୀ ୨/୩୨, ରବି ବିଶ୍ନୋଇ ୨/୪୬।
ଭାରତ ୧୭୬/୦, ୩୫.୨ ଓଭର: ଯଶସ୍ୱୀ ଜୈସୱାଲ୍ ୧୦୫*, ଦିବ୍ୟାଂଶ ସାକ୍ସେନା ୫୯*।