୧୫୦ ମୃତଦେହ କାଢି ଖାଇଦେଇଥିଲେ ଦୁଇ ଭାଇ

ଓଡିଶା ଦେଶ -ବିଦେଶ ବଡ ଖବର ବିଶେଷ

କରାଚୀ:  ବାଘ-ସିଂହ ଭଳି ବନ୍ୟଜନ୍ତୁ ମଣିଷଙ୍କୁ ମାରି ଖାଇଥିବାର କଥା ଆପଣ ଶୁଣିଥାଇପାରନ୍ତି | ଆଦିମ ଯୁଗରେ ମଧ୍ୟ ମଣିଷ, ମଣିଷର ମାଂସ ଖାଉଥିବା କଥା ବି ଆପଣ ବହିରେ ପଢ଼ିଥିବେ | କିନ୍ତୁ ଆମେ ଆପଣଙ୍କୁ ଏମିତି ଦୁଇଜଣ ଭାଇଙ୍କ କଥା କହିବୁ ଯେଉଁମାନେ ପାଖାପାଖି ୧୫୦ଟି ମୃତଦେହକୁ ସମାଧିରୁ କାଢି ଖାଇଦେଇଛନ୍ତି | ଏହି ଦୁଇ ଭାଇଙ୍କ ନାମ ହେଉଛି ମହମ୍ମଦ ଫରମାନ ଅଲ୍ଲୀ ଓ ମହମ୍ମଦ ଅରିଫ ଅଲ୍ଲୀ | ପାକିସ୍ତାନର ପଞ୍ଜାବ ଅଂଚଳରେ ଥିବା ଖାବବାର ଗାଁରେ ଏହି ଦୁଇ ଭାଇ ରହନ୍ତି | ଦୁଇ ଭାଇ ବିବାହିତ ହୋଇଥିଲେ ବି ନିଜ ପତ୍ନୀମାନଙ୍କୁ ମାରପିଟ କରିବା ଫଳରେ ସେମାନେ ଛାଡ଼ି ପଳାଇଛନ୍ତି |

୨୦୧୧ ମସିହାରେ ଏକ ସମାଧିରୁ ଜଣେ ଯୁବତୀଙ୍କ ମୃତ ଶରୀର ଗାୟବ ହୋଇଯାଇଥିଲା | ଯୁବତୀଙ୍କ ସମ୍ପର୍କୀୟ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା | ପୁଲିସ ଶବ ଗାୟବ ପଛରେ ଦୁଇ ଭାଇଙ୍କର ହାତ ଥିବା ଜାଣିପାରିଥିଲା | ଏହା ପରେ ସେମାନଙ୍କ ଘରେ ଯାଞ୍ଚ କରାଯାଇଥିଲା | ଏହି ସମୟରେ ସେମାନଙ୍କ ଘରୁ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗ ସହ ମାଂସ ତରକାରୀ ଜବତ କରିଥିଲା | ଏହା ପରେ ପୁଲିସ ଦୁଇ ଭାଇଙ୍କୁ ଗିରଫ କରି ପଚରାଉଚୁରା କରିଥିଲା | ଏହି ସମୟରେ ଦୁଇ ଭାଇଙ୍କର ବୟାନ ପୁଲିସ ଅଧିକାରୀଙ୍କୁ ମଧ୍ୟ ତାଜୁବ କରିଦେଇଥିଲା | ସେମାନେ କହିଥିଲେ ଯେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ମୃତଦେହକୁ ଖାଇଦେଇ ଥିବାବେଳେ କମ ସମୟ ମଧ୍ୟରେ ମାଟିରେ ପୋତାଯାଇଥିବା ଶବ ହିଁ ସମାଧିରୁ ନେଇଆସୁଥିଲେ |

ଜେରା ପରେ ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରିଥିଲା | କିନ୍ତୁ ପାକିସ୍ତାନ ଆଇନରେ ଏଭଳି କାରନାମା ପାଇଁ କ’ଣ ଦଣ୍ଡ ଦିଆଯିବ ସେଥିପାଇଁ କୌଣସି ପ୍ରାବଧାନ ନଥିଲା | ଏହା ପରେ ଦୁଇ ଭାଇଙ୍କ ନାମରେ ସମାଧିକୁ କ୍ଷତି କରିବା ମୋକଦ୍ଦମା ଚାଲିଥିଲା | ଅଦାଲତ ଦୁହିଁଙ୍କୁ ୨ ବର୍ଷର ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଥିଲେ | ତେବେ ଏହି ଦୁଇ ବର୍ଷ ମଧ୍ୟରେ ଅଧିକାଂଶ ସମୟ ଏମାନେ ଡାକ୍ତରଖାନାରେ ରହିଥିଲେ | କାରଣ ଡାକ୍ତରଖାନାରେ ଏମାନଙ୍କ ମାନସିକ ଚିକିତ୍ସା ଚାଲିଥିଲା | ୨ ବର୍ଷ ପରେ ଦୁଇ ଭାଇଙ୍କ ଜେଲ ଦଣ୍ଡ ସମ୍ପୂର୍ଣ୍ଣ ହେବା ପରେ ଏମାନଙ୍କୁ ୨୦୧୩ ମସିହାରେ ମୁକ୍ତ କରାଯାଇଥିଲା |

ଏହା ପରେ ଦୁଇ ଭାଇ ଗାଁରେ ପହଂଚିବା ପରେ ଗ୍ରାମବାସୀଙ୍କ ମନରେ ଛନକା ପଶିଥିଲା | ୨୦୧୪ ମସିହା ଏପ୍ରିଲ ମାସରେ ପୁଲିସ ପାଖରେ ପୁଣି ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ଦୁଇ ଭାଇଙ୍କ ଘରୁ ମୃତ ଦେହର ଗନ୍ଧ ଆସୁଛି | ଏହା ପରେ ପୁଲିସ ଚଢ଼ାଉ କରି ଦୁଇ ବର୍ଷର ଏକ ଶିଶୁ ମୁଣ୍ଡ ସହ ମଣିଷ ମାଂସର ତରକାରୀ ଜବତ କରିଥିଲା | ଏହା ପରେ ପୁଣି ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା | ଏଥର କୋର୍ଟ ଦୁଇ ଭାଇଙ୍କୁ ୧୨ ବର୍ଷର ଦଣ୍ଡ ଶୁଣାଇଛନ୍ତି | ଏବେ ଏହି ଦୁଇ ଭାଇ ଜେଲରେ ଅଛନ୍ତି |