ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ୟୁରୋପୀୟ ସଂସଦରେ ଏକ ସଂକଳ୍ପ ଗୃହୀତ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା। ପୁଣିଥରେ ସଂକଳ୍ପ ବାବଦରେ ପୁନର୍ବିଚାର କରାଯିବା ଦରକାର ବୋଲି ୟୁରୋପୀୟ ସଂସଦର ବାଚସ୍ପତି ଡେଭିଡ ମାରିଆ ସସୋଲିଙ୍କୁ ବାଚସ୍ପତି ଓମ୍ ବିର୍ଲା ଚିଠି ଲେଖି ଜଣାଇଛନ୍ତି।

ସିଏଏ କାହାର ନାଗରିକତା ନେବ ନାହିଁ। ବରଂ ପଡ଼ୋଶୀ ତିନି ଦେଶରୁ ଧାର୍ମୀକ ଉତ୍ପୀଡ଼ନାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଭାରତ ନାଗରିକ ଦେଉଛି। ଭାରତରେ ଥିବା ସଂସଦର ଦୁଇ ସଦନରେ ଏହି ସିଏଏକୁ ଅନୁମୋଦନ ଦେଇଛି। ଭାରତର ସଂସଦ ଯେଉଁ ଆଇନ ତିଆରି କରିଛି ତାହାକୁ ୟୁରୋପୀୟ ସଂସଦ ମଧ୍ୟ ସମ୍ମାନ କରିବା ଦରକାର ବୋଲି ବିର୍ଲା ଚିଠି ଲେଖି କହିଛନ୍ତି। ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର ସଦସ୍ୟ ଥିବାରୁ ଉଭୟ ପରସ୍ପରର ସାର୍ବଭୌମକୁ ସମ୍ମାନ କରିବା ଦରକାର ବୋଲି ବିର୍ଲା ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ସିଏଏକୁ ବିରୋଧ କରି ୟୁରୋପୀୟ ସଂସଦରେ ଏକ ସଂକଳ୍ପ ଗୃହୀତ ହୋଇଛି। ଏହାକୁ ନେଇ ଆସନ୍ତାକାଲି ଇୟୁ ସଂସଦରେ ଆଲୋଚନା ହେବ। ଭାରତ ଏହାକୁ ନେଇ କଡ୍ଡା ମନ୍ତବ୍ୟ ରଖିଛି।ୟୁରୋପୀୟ ସଂସଦର ପ୍ରାୟ ୬୦୦ ସଦସ୍ୟ ଭାରତର ନାଗରିକତା ଆଇନ ବିରୁଦ୍ଧରେ ୬ଟି ସଂକଳ୍ପ ଆଗତ କରିଛନ୍ତି ।
ଏହି ସଂକଳ୍ପଗୁଡ଼ିକୁ ୟୁରୋପୀୟ ମିଳିତ ବାମଦଳ, ନର୍ଡିକ ଗ୍ରୀନ ଲେପ୍ଟ ଗ୍ରୁପ ପକ୍ଷରୁ ଦିଆଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ଭାରତର ଏହି ନୂଆ ନାଗରିକତା ଆଇନ ଜାତିସଂଘର ଧାରା ୧୫ ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ହନନ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ୱରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ ବୋଲି ଏହି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି ।

ୟୁରୋପୀୟ ସଂଘର ଏକ ପ୍ରଭାବଶାଳୀ ତଥା ପ୍ରତିଷ୍ଠାତା ସଦସ୍ୟ ଫ୍ରାନ୍ସ କହିଛି ଯେ ଭାରତର ନୂଆ ନାଗରିକତା ଆଇନ ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର । ଏକଥା ଫ୍ରାନ୍ସ ପୂର୍ବରୁ ହିଁ ଅନେକ ଥର ସ୍ପଷ୍ଟ କରିସାରିଛି । ଫ୍ରାନ୍ସର ଏହି ସମର୍ଥନ ପରେ ଆଉକେତେକ ୟୁରୋପୀୟ ଦେଶ ଭାରତକୁ ସମର୍ଥନ କରିବାର ସମ୍ଭାବନା ରହିଛି ।