ସିଏଏ ବିରୋଧୀ ଆନ୍ଦୋଳନ ବେଳେ ୨ ମୃତ

ଦେଶ -ବିଦେଶ ବଡ ଖବର

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ବି‌କ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ବୁଧବାର ପଶ୍ଚିମବଙ୍ଗର ମର୍ସିଦାବାଦର ଜଲାଙ୍ଗ ଅଞ୍ଚଳରେ ହିଂସା ଉପୁଜିଛି। ଏହି ହିଂସାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ବି‌କ୍ଷୋଭ ସମୟରେ ଗୁଳି ଚାଳନା ହୋଇଥିଲା। ଶରୀରରେ ଗୁଳି ବାଜି ୨ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ତେବେ, ଆଉ ଜଣେ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହୋଇଛି। ସେମାନେ ରାସ୍ତା ଅବରୋଧ କରି ଦେଇଛନ୍ତି। ଅନେକ ବାଇକ୍‌ ଓ ଚାରି ଚକିଆରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ତୃଣ ମୂଳ କଂ‌ଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା ବୋଲି ସୂଚନା ରହିଛି।ଉଲ୍ଲେଖଯୋଗ୍ୟ, ପୂର୍ବରୁ ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ  ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇ ସାରିଛି।  ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇ ଯାଇଥିବା ପ୍ରସ୍ତାବରେ ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ପ୍ରତ୍ୟାହାର ସହ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର)କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା ରଖିଛନ୍ତି ତାହାକୁ ମଧ୍ୟ ବନ୍ଦ କରିବା ପାଇଁ ପାରିତ ହୋଇ ଯାଇଥିବା ପ୍ରସ୍ତାବରେ କୁହାଯାଇଛି। ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତୃଣମୂଳ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ବିଧାନସଭାରେ ଆଗତ କରିଥିଲେ।