ସାଧାରଣତନ୍ତ୍ର ଦିବସରେ ଜୈସ୍‌ର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଦେଶର ବିଭିନ୍ନ ସ୍ଥାନରେ  ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ସମସ୍ତ ଯୋଜନାକୁ ଆଜି ପଣ୍ଡ କରି ଦେଇଛି ଜମ୍ମୁ- କଶ୍ମୀର ପୁଲିସ୍‌।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀ ହାମ୍‌ଲା କରିବା ଲକ୍ଷ୍ୟରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ୫ ଜଣ ଆତଙ୍କବାଦୀ ବିପୁଳ ପରିମାଣର ମାରଣାସ୍ତ୍ର ସହ ଆସି ଜମ୍ମୁ- କଶ୍ମୀରରେ ଆତ୍ମଗୋପନ କରି ରହିଥିଲେ ଏବଂ ଜମ୍ମୁ- କଶ୍ମୀରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲେ।

ତେବେ, ଆତଙ୍କବାଦୀମାନଙ୍କର ଏ ଯୋଜନା ବାବଦରେ ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଜମ୍ମୁ- କଶ୍ମୀର ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ହଜରତ୍‌ବଲ ଅଞ୍ଚଳରେ ଚଢ଼ାଉ କରି ଜୈସ୍‌-ଇ- ମହମ୍ମଦର ୫ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ବିସ୍ଫୋରକ ଜବତ କରିଛି। ଗିରଫ ହୋଇଥିବା ଜୈସ୍‌ର ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ପୁଲିସ୍‌ ଅଜାଜ୍‌ ଅହମ୍ମଦ ଶେଖ୍‌, ଉମର ହମିଦ୍‌ ଶେଖ୍‌, ଇମତିୟାଜ୍‌ ଅହମ୍ମଦ ଚିକ୍‌ଲା, ସାହିଲ ଫାରୁକ୍‌ ଗୋଜ୍‌ରି ଓ ନସିର ଅହମ୍ମଦ ମୀର୍‌ ବୋଲି ଚିହ୍ନଟ କରିଛି।