ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଦେଶର ହିତ ପାଇଁ ଆର୍ଥିକ ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦର ଉପାଦେୟତା ବୃଦ୍ଧି ସମସ୍ତ ସଦସ୍ୟଙ୍କ ଦାୟିତ୍ୱ ହେବା ଆବଶ୍ୟକ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦର ଆଗାମୀ ବଜେଟ ଅଧିବେଶନରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଆସନ୍ତା କାଲି ଅର୍ଥାତ ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି।

ଏହି ବୈଠକରେ ଦେଶର ଅଧିକାଂଶ ସଦସ୍ୟ ବଜେଟ ଅଧିବେଶନରେ ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଉପରେ ଗୁରୁତ୍ୱାରୋପ କରିବା ଲାଗି ଦେଇଥିବା ପ୍ରସ୍ତାବକୁ ମୋଦୀ ସ୍ୱାଗତ କରି କହିଛନ୍ତି, ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ ଦେଶ କିଭଳି ଭାବେ ପ୍ରଗତି ପଥରେ ଆଗେଇ ପାରିବ ସେଥିପ୍ରତି ସମସ୍ତ ସଦସ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ଏହି ବଜେଟ ଅଧିବେଶନ ଏବଂ ନୂଆ ବର୍ଷର ଆରମ୍ଭରୁ ଯଦି ଆମେ ଦେଶର ଅର୍ଥ ବ୍ୟବସ୍ଥାକୁ ଏକ ଉପଯୁକ୍ତ ମାର୍ଗରେ ନେଇପାରିବା ତା’ହେଲେ ଏହା ଦେଶର ହିତ ପାଇଁ ଶ୍ରେଷ୍ଠ ଯୋଗଦାନ ହେବ। ଏହି ଅବସରରେ ସଦସ୍ୟମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅନ୍ୟ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ପ୍ରସଙ୍ଗ ଉପରେ ଖୋଲା ବିତର୍କ ହେବା ଉଚିତ। ଚଳିତ ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟଙ୍କୁ ଗୃହ କାର୍ଯ୍ୟକ୍ରମରେ ନିୟମିତ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି।

ସଂସଦର ପୂର୍ବ ଦୁଇଟି ଅଧିବେଶନ ଅଧିକ ଫଳପ୍ରଦ ଥିଲା ଏବଂ ଏହା ସପକ୍ଷରେ ଜନସାଧାରଣଙ୍କ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଥିବା ମୋଦୀ କହିବା ସହ ଜନସାଧାରଣଙ୍କ ପ୍ରତିନିଧି ଭାବେ ସମସ୍ତ ପ୍ରସଙ୍ଗରେ ଖୋଲା ମନରେ ଆଲୋଚନା କରି ଗୃହକୁ ଅଧିକ ଫଳପ୍ରଦ କରିବା ସମସ୍ତ ସଦସ୍ୟଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। ଏହି ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି. ମୂରଲୀଧରନଙ୍କ ସମେତ ସବୁ ଦଳର ସାଂସଦମାନେ ଏହି ଯୋଗ ଦେଇଥିଲେ।