ରାମ ମନ୍ଦିର ଟ୍ରଷ୍ଟକୁ କ୍ୟାବିନେଟ୍‌ ମଞ୍ଜୁରୀ, ସଂସଦରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ୩ ଦିନ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ରଖାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥଳୀରେ ମନ୍ଦିର ନିର୍ମାଣ ଏବଂ ଏହା ସହିତ ଜଡ଼ିତ ବିଷୟ  ଉପରେ ନିଷ୍ପତ୍ତି ନେବା ଲାଗି ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ ଭାବେ କାର୍ଯ୍ୟ କରିବ। ଟ୍ରଷ୍ଟକୁ ୬୭.୦୩ ଏକର ଭୂମି ଯୋଗାଇ ଦିଆଯିବ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ରାମ ମନ୍ଦିର ନିର୍ମାଣ କରାଯିବ। ମନ୍ଦିର ପାଇଁ ବୃହତ୍ ଯୋଜନା କରାଯାଇଛି। ଏହି ଐତିହାସିକ କ୍ଷଣରେ ଆମେ ସମସ୍ତ ସଦସ୍ୟ ମିଶି ଅଯୋଧ୍ୟାରେ ଶ୍ରୀରାମ ଧାମର ପୁନରୁଦ୍ଧାର ପାଇଁ, ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଏକ ସ୍ବରରେ ନିଜର ସମର୍ଥନ ଦେବା ବୋଲି ମୋଦୀ କହିଥିଲେ। ଏହି ଅବସରରେ ସଂସଦ ଭବନରେ ଜୟ ଶ୍ରୀ ରାମ ନାରା ଲାଗିଥିଲା।