ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ

ରବିବାର  ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଦେଶ -ବିଦେଶ ବଡ ଖବର

 #ରବିବାର_ଜନତା_କର୍ଫ୍ୟୁ_ପାଳନ_କରିବାକୁ_ପ୍ରଧାନମନ୍ତ୍ରୀଙ୍କ_ଆହ୍ୱାନ     ନୂଆଦିଲ୍ଲୀ : କରୋନା ଭାଇରସ୍ ବିଶ୍ବ ସ୍ତରରେ ଅନେକ କ୍ଷତି କରିସାରିଥିବାବେଳେ ଭାରତରେ ତା’ର ମୁକାବିଲା ସଂକଳ୍ପ ଏବଂ ସଂଯମ ଦ୍ୱାରା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ସନ୍ଧ୍ୟା ୮ଟା ସମୟରେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଗାମୀ ୨୨ ତାରିଖ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି ।
ସେ କହିଛନ୍ତି ଯେ, ଏହି ଜନତା କର୍ଫ୍ୟୁ ଜନତାଙ୍କର ଜନତାଙ୍କ ପାଇଁ ଏବଂ ଜନତାଙ୍କ ଦ୍ୱାରା ହେବ ।

ଗତ ଦୁଇମାସ ଧରି ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଲଗାତାର କାମ କରି ଆସୁଥିବା ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀ, ସଫେଇ କର୍ମଚାରୀ, ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଏୟାରପୋର୍ଟ କର୍ମଚାରୀ, ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ ସୁବିଧା ଯୋଗାଉଥିବା ଲୋକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ସେ ଆହ୍ୱାନ କରିଛନ୍ତି । ଉକ୍ତ ଦିନ ସନ୍ଧ୍ୟା ୫ଟାରେ ଲୋକମାନେ ନିଜ ନିଜ ଘରର ବାଲକୋନି, ଝରକା, ଦ୍ୱାର ସାମ୍ନାରେ ଠିଆହୋଇ ୫ ମିନିଟ୍ ପାଇଁ ତାଳିମାରି, ଘଣ୍ଟି ବଜାଇ, ବାସନ ବଜାଇ ଧନ୍ୟବାଦ ଦେବାକୁ ଆହ୍ୱାନ ଜଣାଇଛନ୍ତି ।
ସେ କହିଛନ୍ତି ଯେ, କରୋନା ଦ୍ୱାରା ଭାରତରେ କିଛି ହେବନାହିଁ ବୋଲି ଯେଉଁମାନେ ଭାବୁଛନ୍ତି ତାହା ଠିକ୍ ନୁହେଁ । ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ଦରକାର । ସାମାଜିକ ଦୂରତ୍ୱ ଦ୍ୱାରା ହିଁ ଏହାକୁ ପ୍ରତିହତ କରିହେବ । ଯଦି ଦେଶବାସୀ ଏହା କରୁନାହାନ୍ତି ତେବେ ସେମାନେ ନିଜର ପ୍ରିୟଜନ ପ୍ରତି ଅନ୍ୟାୟ କରୁଛନ୍ତି । ଏହି ପରିସ୍ଥିତିରେ ସଂକଳ୍ପ ନେବା ଦରକାର ଯେ, ନିଜେ ବଞ୍ଚିବା ସହିତ ଜଗତକୁ ବଞ୍ଚାଇବା । ଭିଡ଼ ସ୍ଥାନମାନଙ୍କୁ ନଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେତେ ଜରୁରୀ ନଥିଲେ ବାହାରକୁ ବାହାରିବା ଆବଶ୍ୟକ ନାହିଁ ।

ସେ କହିଛନ୍ତି ଯେ ଜୀବନ ବଞ୍ଚାଇବା ସାମଗ୍ରୀ ଯଥା କ୍ଷୀର, ପାଣି, ମେଡ଼ିସିନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଅନାବଶ୍ୟକ ଭାବେ ଭୟଭୀତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ପରିମାଣରେ ଘରେ ମହଜୁଦ ନରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ସ୍ୱଚ୍ଛଳ ବର୍ଗ ବ୍ୟବସାୟୀମାନଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନଙ୍କ ପାଖରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ଦରମା ନକାଟି ମାନବିକତା ଓ ସମ୍ବେଦନଶୀଳତାର ପରିଚୟ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ କିଛିଦିନ ସେମାନେ କାମକୁ ନଆସିଲେ ମଧ୍ୟ ସେମାନଙ୍କର ଦରମା ବନ୍ଦ ନକରିବା । କାରଣ ସେମାନେ ମଧ୍ୟ ନିଜର ଏବଂ ନିଜ ପରିବାରର ଜୀବନ ବଂଚାଇବାର ଆବଶ୍ୟକତା ଅଛି ।