ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନିପାତ କରିବାକୁ ଗଠନ ହେବ ୪ରୁ ୬ ଥିଏଟର କମାଣ୍ଡ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଜେନେରାଲ ବିପିନ୍‌ ରାୱତ ନୂଆବର୍ଷରେ ଭାରତର ପ୍ରଥମ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ  ତିନି ବାହିନୀ ମଧ୍ୟରେ କିଭଳି ଉତ୍ତମ ସମନ୍ଵୟ ରହିପାରିବ ସେଥିପାଇଁ ବିପିନ୍‌ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏପରିକି ଭବିଷ୍ୟତରେ ଥିଏଟର କମାଣ୍ଡ ଗଠନ କରିବାକୁ ସଂକେତ ବି ଦେଇଛନ୍ତି । ଏହା ସାହାଯ୍ୟରେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇପାରିବ । ଏହି ଥିଏଟର କମାଣ୍ଡ ଗଠନ ସହ ଭାରତୀୟ ସେନା ବାହୁବଳୀ ପାଲଟିଯିବ ।

କୌଣସି ଯୁଦ୍ଧ ସମୟରେ ଥିଏଟର କମାଣ୍ଡର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ । ଯୁଦ୍ଧ ସମୟରେ ୩ ସେନା ମଧ୍ୟରେ ତାଳମେଳ ବଜାୟ ରଖିବା ପାଇଁ ଥିଏଟର କମାଣ୍ଡର ବଡ଼ ଭୂମିକା ରହିଥାଏ । କାରଣ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ସହଜରେ ମାତ ଦେବାକୁ ଏହି କମାଣ୍ଡ ଦ୍ବାରା ହିଁ ଋଣନୀତି ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଜଳ, ସ୍ଥଳ ଓ ବାୟୁସେନାକୁ ଏକ ସାଥୀରେ ନେଇ ଇଣ୍ଟ୍ରିଗ୍ରେଟେଡ ଥିଏଟର କମାଣ୍ଡ ଗଠନ କରିବାକୁ ଦାବି ହୋଇ ଆସୁଛି । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରଥମ ଥିଏଟର କମାଣ୍ଡ ଗଠନ କରିବାକୁ ସିଡିଏସ ବିପିନ୍‌ ରାୱତ ଲକ୍ଷ୍ୟ ରଖିଛନ୍ତି।

Image result for what-is-theater-command-its-importance-in-indian-army

ଦେଶର ଭୌଗଳିକ ଓ ସାମରିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ୩ ସେନା ଓ ଅନ୍ୟ ସୈନ୍ୟ ବଳକୁ ଏକାଠି କରାଯିବ । ଏହି କମାଣ୍ଡର ଜଣେ ହିଁ କମାଣ୍ଡର ରହିବେ । ଥିଏଟର କମାଣ୍ଡ ଗଠନ ସହ ଗୋଟିଏ କଥା ସୁନିଶ୍ଚିତ ହୋଇଯାଏ ଯେ, ୩ ସେନାର ଯବାନ ଏକାଠି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଏଭଳି କମାଣ୍ଡ ଗଠନ ହେବା ଦ୍ୱାରା ଖର୍ଚ୍ଚର ପରିମାଣ ମଧ୍ୟ କମ ହୋଇଯାଇଥାଏ।

ଏବେ ଦେଶରେ କେବଳ ଗୋଟିଏ ଥିଏଟର କମାଣ୍ଡ ରହିଛି । ୨୦୦୧ରେ ଆଣ୍ଡାମାନ ଓ ନିକୋବରରେ ଏହି କମାଣ୍ଡର ଗଠନ କରାଯାଇଥିଲା । ଏହାଛଡା ପରମାଣୁ ଶସ୍ତ୍ରାଗାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍‌ ଫୋର୍ସେଜ କମାଣ୍ଡ ରହିଛି। ୨୦୦୩ ମସିହାରେ ଏହାର ଗଠନ କରାଯାଇଥିଲା । ଭାରତୀୟ ସେନାବାହିନୀରେ ଏବେ ୧୫ ଲକ୍ଷ ସୈନିକ ଅଛନ୍ତି । ତେଣୁ ଏତେ ବଡ ସେନାକୁ ସଙ୍ଗଠିତ ଓ ଏକଜୁଟ କରିବାକୁ ଥିଏଟର କମାଣ୍ଡର ଆବଶ୍ୟକତା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୪ରୁ ୬ଟି ଥିଏଟର କମାଣ୍ଡ ଗଠନ କରାଯିବ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଏରୋସ୍ପେଶ ଓ ଲଜିଷ୍ଟିକ ଥିଏଟର କମାଣ୍ଡ ଗଠନ କରିପାରନ୍ତି ସିଡିଏସ ବିପିନ୍‌ ରାୱତ । ପଶ୍ଚିମ ଥିଏଟର କମାଣ୍ଡ ଅଧିନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର କଚ୍ଛ ଉପକୂଳ ଆସିପାରେ । ସେହିଭଳି ଉତ୍ତର ଥିଏଟର କମାଣ୍ଡ ମୁଖ୍ୟତଃ ପାକିସ୍ତାନ ଓ ଚୀନ୍‌ ଉପରେ ନଜର ରଖିବେ । ଜମ୍ମୁ-କାଶ୍ମୀର ଓ ଲଦାଖର ପାହାଡିଆ ଅଞ୍ଚଳ ଏହି କମାଣ୍ଡ ଅଧିନରେ ଆସିବ। ସେହିପରି ପୂର୍ବ ଥିଏଟର କମାଣ୍ଡର ଭାରତର ଉତ୍ତର-ପୂର୍ବ ସୀମାକୁ ଲାଗି ରହିଥିବା ଚୀନ, ବାଂଲାଦେଶ ଓ ମିଆଁମାର ସୀମାର ଗତିବିଧି ଉପରେ ନଜର ରଖିବ । ଦକ୍ଷିଣ ଥିଏଟର କମାଣ୍ଡ ଦେଶର ତଟବର୍ତ୍ତୀ ସୀମା ଉପରେ କଡା ନଜର ରଖିବ।ସେହିପରି ଏରୋସ୍ପଶ ଥିଏଟର କମାଣ୍ଡ ଦେଶର ଆକାଶପଥରେ ନିଜର ଶକ୍ତି ଦେଖାଇବ। ଆକାଶପଥରୁ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ସହ ଶତ୍ରୁ ଉପରେ ନଜର ରଖିବ ଏହି ଥିଏଟର କମାଣ୍ଡ । ଲଜିଷ୍ଟିକ କମାଣ୍ଡ ଅନ୍ୟ ସମସ୍ତ ଥିଏଟର କମାଣ୍ଡ ପାଖରେ ସରଞ୍ଜାମ ପହଞ୍ଚାଇବାର କାମ କରିବ । ଏହାଛଡା ବିଦେଶୀ ଥିଏଟର କମାଣ୍ଡ ସହ ମଧ୍ୟ ଏହା ତାଳମେଳ ରଖିବା କାର୍ଯ୍ୟ କରିବ।