ମୁସାରଫଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ କଲେ ଲାହୋର ହାଇକୋର୍ଟ

ଦେଶ -ବିଦେଶ ବଡ ଖବର

ଇସଲାମାବାଦ : ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ୍‌ ମୁସାରଫଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଛି ଲାହୋର ହାଇକୋର୍ଟ । ଆଜି ଲାହୋର ହାଇକୋର୍ଟର ଏକ ତିନିଜଣିଆ ବେଞ୍ଚ କହିଛନ୍ତି ଯେ ମୁସାରଫଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶ ଅସାମ୍ବିଧାନିକ । କୋର୍ଟ କହିଛନ୍ତି ଯେ ସ୍ୱତନ୍ତ୍ର କୋର୍ଟରେ ମୁସାରଫଙ୍କ ବିରୋଧରେ ଯେଉଁ ଦେଶଦ୍ରୋହ ମାମଲା ଚାଲିଥିଲା ତାହା ନିୟମଅନୁସାରେ ହୋଇନଥିଲା ।

ଗତ ଡିସେମ୍ବର ୧୭ରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ମୁସାରଫଙ୍କୁ ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଥିଲେ । ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । ଏହି ଦଣ୍ଡାଦେଶ ବେଳେ ମୁସାରଫ କୋର୍ଟରେ ନଥିଲେ । ଗତ ୨୦୧୬ରୁ ସେ ଦୁବାଇରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଏହି ରାୟକୁ ପାକିସ୍ତାନ ସେନା ପକ୍ଷରୁ ଖୋଲାଖୋଲି ବିରୋଧ କରାଯାଇଥିଲା । ପାକିସ୍ତାନ ସେନାର ମୁଖପାତ୍ର ଆସିଫ ଗଫୁର କହିଥିଲେ ଯେ ଜଣେ ବ୍ୟକ୍ତି ଯିଏକି ପାକିସ୍ତାନ ସେନାର ପୂର୍ବତନ ମୁଖ୍ୟ, ଷ୍ଟାଫ କମିଟିର ଯୁଗ୍ମ ମୁଖ୍ୟ ଓ ପୂର୍ବତନ ରାଷ୍ଟ୍ରପତି ଥିଲେ, ଯିଏ ୪୦ ବର୍ଷ ଧରି ଦେଶର ସେବା କରିଥିଲେ, ଯିଏ ଦେଶରକ୍ଷା ପାଇଁ ଯୁଦ୍ଧ ଲଢିଥିଲେ, ସେ କେବେହେଲେ ଦେଶଦ୍ରୋହୀ ହୋଇପାରିବେ ନାହିଁ । ସ୍ୱତନ୍ତ୍ର କୋର୍ଟରେ ବିଚାର ବେଳେ କେତେକ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନଥିଲା, ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇନଥିଲା ଓ ତରବରିଆ ଭାବେ ବିଚାର କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।