ମୁଦ୍ରାସ୍ପୀତି ୭.୩୫%କୁ ବୃଦ୍ଧି, ସୁଧହାର ବଢାଇପାରେ ରିଜର୍ଭ ବ୍ୟାଙ୍କ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ : ଗତ ଡିସେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ହାର ୭.୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ନଭେମ୍ବର ମାସରେ ଏହା ୫.୫୪ ପ୍ରତିଶତ ଥିଲା ବୋଲି ଆଜି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଖାଦ୍ୟ ସାମଗ୍ରୀ ଓ ଟେଲିକମ କମ୍ପାନିମାନଙ୍କ ଦ୍ୱାରା ଦରବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବଢିଥିବା ଜଣାଯାଇଛି । ଗତ ଜୁଲାଇ ୨୦୧୪ ପରଠାରୁ ଏହା ହେଉଛି ସର୍ବୋଚ୍ଚ ମୁଦ୍ରାସ୍ପୀତି ହାର । ଡିସେମ୍ବର ମାସରେ ହୋଲସେଲ ମୂଲ୍ୟ ଭିତ୍ତିକ ମୁଖ୍ୟ ମୁଦ୍ରାସ୍ପୀତି ହାର ୩.୭୫ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ନଭେମ୍ବର ମାସରେ ୩.୫ ପ୍ରତିଶତ ଥିଲା ।

ଖାଦ୍ୟସାମଗ୍ରୀର ଦରବୃଦ୍ଧି ଖୁଚୁରା ମୁଦ୍ରାସ୍ପୀତି ବଢିବାର ପ୍ରମୁଖ କାରଣ ବୋଲି କୁହାଯାଉଛି । ଡିସେମ୍ବର ମାସରେ ଖାଦ୍ୟ ଦର ସୂଚକାଙ୍କ ୧୨.୧୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ନଭେମ୍ବର ମାସରେ ୮.୬ ପ୍ରତିଶତ ଥିଲା । ଦେଶରେ ପିଆଜ ଦର ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ପନିପରିବା ମୂଲ୍ୟ ସୂଚକାଙ୍କ ୬୦ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ଡିସେମ୍ବର ପ୍ରଥମ ସପ୍ତାହରେ ଦେଶର ପ୍ରମୁଖ ଟେଲିକମ କମ୍ପାନି ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ ପକ୍ଷରୁ ନିଜର କଲ ଓ ଡାଟା ଦର ବୃଦ୍ଧି କରାଯାଇଥିଲା ।