ଭାରତ ରତ୍ନଠାରୁ ଊର୍ଦ୍ଧ୍ୱରେ ମହାତ୍ମା ଗାନ୍ଧି : ସୁପ୍ରିମ୍‌କୋର୍ଟ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ଜାତିର ପିତା ଏବଂ ଲୋକେ ତାଙ୍କୁ ଉଚ୍ଚ ସ୍ଥାନରେ ରଖିଆସିଛନ୍ତି। ଏହା ଯେକୌଣସି ବିଧିବଦ୍ଧ ସ୍ୱୀକୃତିଠାରୁ ଊର୍ଦ୍ଧ୍ୱରେ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। ମହାତ୍ମାଙ୍କୁ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜଣେ ଆବେଦନକାରୀଙ୍କୁ କହିଛନ୍ତି, କୋର୍ଟ ଆବେଦନକାରୀଙ୍କ ମତକୁ ଗ୍ରହଣ କରୁଛି। ସେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିପାରିବେ ବୋଲି କୋର୍ଟ କହିଛନ୍ତି। ଗାନ୍ଧି ଭାରତ ରତ୍ନଠାରୁ ଊର୍ଦ୍ଧ୍ୱରେ କହିବାକୁ ଯାଇ କୋର୍ଟ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ପାଇଁ ଭାରତ ରତ୍ନ କ’ଣ? ଆମେ ତୁମ ଭାବନାକୁ ବୁଝିପାରୁଛୁ। କିନ୍ତୁ ଏହି ଆବେଦନକୁ ଗ୍ରହଣ କରିପାରିବୁ ନାହିଁ।

ଏହି ଆବେଦନକାରୀ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆବେଦନରେ କୁହାଯାଇଥିଲା, ମହାତ୍ମାଙ୍କୁ ଭାରତ ରତ୍ନ ଦେବାପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ତେବେ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିବା ଗାନ୍ଧିଙ୍କ ପାଇଁ ଭାରତ ରତ୍ନ କିଛି ନୁହେଁ ବୋଲି କୋର୍ଟ କହିବା ପରେ ଆବେଦନକାରୀ ଅନ୍ୟ କିଛି ଉଚ୍ଚତର ସମ୍ମାନ ଦିଆଯାଉ ବୋଲି କହିଥିଲେ। ତେବେ କୋର୍ଟ ପ୍ରତିକ୍ରିୟା ରଖି ଆବେଦନକାରୀଙ୍କୁ ସମାନ ପ୍ରଶ୍ନ କରିବାରୁ ସେ କହିଥିଲେ, ତାହା ସରକାର ନିଷ୍ପତ୍ତି ନେବେ। ଅହିଂସା ନୀତିକୁ ପୁଞ୍ଜି କରି ଭାରତର ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧି ପ୍ରମୁଖ ଭୂମିକା ନେଇଥିଲେ।