ଭାରତୀୟ ମୁସ୍‌ଲିମ୍‌ ସୁରକ୍ଷିତ, କେହି ଛୁଇଁ ପାରିବେ ନାହିଁ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ମୁସଲିମ୍‌ମାନଙ୍କ ମଧ୍ୟରେ ଯେଉଁ ଭୟ ରହିଛି ତାହାକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଭାରତୀୟ ମୁସଲମାନମାନେ ସୁରକ୍ଷିତ ଏବଂ ସେମାନଙ୍କୁ କେହି ବି ଛୁଇଁ ପାରିବେ ନାହିଁ। ସିଏଏ, ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ଯୋଗୁଁ ଭାରତୀୟ ମୁସଲମାନଙ୍କ କୌଣସି କ୍ଷତି ହେବନାହିଁ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି। ତେବେ ବିରୋଧୀ ଦଳ ମାନେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଦ୍ବନ୍ଦ୍ବ ସୃଷ୍ଟି କରିଛନ୍ତି। ମିରଟର ଶତାବ୍ଦୀ ନଗର ଅଞ୍ଚଳରେ ଏକ ସିଏଏ ସମର୍ଥନ ରୢାଲିରେ ଉଦ୍‌ବୋଧନ ଦେଇ ରାଜନାଥ ଭାରତୀୟ ମୁସଲିମାନଙ୍କୁ ଆଶ୍ବାସନା ଦେଇଛନ୍ତି।

ରାଜନାଥ କହିଛନ୍ତି, ମୁସଲିମମାନଙ୍କୁ କେହି ବି ଛୁଇଁ ପାରିବେ ନାହିଁ।। ଯଦି ଦରକାର ପଡ଼େ ସେମାନେ ସରକାରଙ୍କ ନିକଟରେ ଏନେଇ ଆବେଦନ କରିପାରିବେ ବୋଲି ରାଜନାଥ କହିଛନ୍ତି। ତେବେ ଦେଶ ସ୍ବାଧୀନତା ହେବାପ‌ରେ ଏନ୍‌ପିଆର ନେଇ ଆଲୋଚନା ହୋଇଥିଲା ଏବଂ ଏନ୍‌ପିଆରରେ ଏହା କାର୍ଯ୍ୟକାରୀ ହେଲା। ପୂର୍ବରୁ ରାଜୀବ ଗାନ୍ଧି ସରକାରରେ ଏନେଇ ଆଲୋଚନା ଆରମ୍ଭ ହୋଇଥିଲା ବୋଲି ରାଜନାଥ କହିଛନ୍ତି। ସମଗ୍ର ଦେଶରେ ଏନ୍‌ଆର୍‌ସି ଲାଗୁ ହେବାର କୌଣସି ଯୋଜନା ନାହିଁ। ମାତ୍ର, ଦେଶରେ ଯଦି ଏକ ଜାତୀୟ ନାଗରିକ ପଞ୍ଜିକାର ଆବଶ୍ୟକ ରହିଛି, ତେବେ ତାକୁ ବିରୋଧ କାହିଁକି କରାଯିବ ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି।

ଭାରତରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ମହାତ୍ମା ଗାନ୍ଧୀ ଗୁରୁତ୍ବାରୋପ କରିଥିଲେ। ଯଦି ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସୁଥିବା ସଂଖ୍ୟାଲଘୁମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଗଲା, ତେବେ ଏହାକୁ ନେଇ ବିରୋଧ କାହିଁକି ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି।