ଭାରତର ହଳଦୀ କୁ ମିଳିଲା ଆମେରିକା ପାଟେଣ୍ଟ୍‌ : କ୍ୟାନ୍‌ସର ଚିକିତ୍ସା ଜ୍ଞାନକୌଶଳରେ ହେବ ବ୍ୟବହାର

ଦେଶ -ବିଦେଶ ବଡ ଖବର ବାଣିଜ୍ୟ ବିଶେଷ

ଥିରୁବନ୍ତପୁରମ୍‌ :  ଆଧୁନିକ ଜ୍ଞାନକୌଶଳରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଛି।ଏହା ସତ୍ତ୍ବେ ଘରୋଇ ଜ୍ଞାନକୌଶଳ ତଥା ଦେଶୀ ଚିକିତ୍ସା ଦ୍ୱାରା ମଧ୍ୟ କ୍ୟାନ୍‌ସର ସେଲ୍‌କୁ ନଷ୍ଟ କରାଯାଇପାରୁଛି। ହଳଦୀର ବ୍ୟବହାର ଦ୍ୱାରା ଏଭଳି ଜ୍ଞାନକୌଶଳ ବିକଶିତ କରିପାରିଥିବା କେରଳର ଥିରୁବନ୍ତପୁରମ୍‌ର ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌କୁ ଆମେରିକାର ପାଟେଣ୍ଟ୍‌ ମିଳିଛି।

କ୍ୟାନସର ପ୍ରଭାବିତ ସ୍ଥାନରେ ହଳଦୀର ବ୍ୟବହାର ଦ୍ୱାରା ବେଶ୍‌ ସୁଫଳ ମିଳିପାରିଥିବା ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ମୁଖ୍ୟ ଲିସି କ୍ରିଷ୍ଣନ୍‌ ସୂଚନା ଦେଇଛନ୍ତି। ହଳଦୀରେ ଥିବା ଆଣ୍ଟି କ୍ୟାନ୍‌ସର ଗୁଣ ଦ୍ବାରା ଏହା ସମ୍ଭବ ହୋଇପାରିଥାଏ। ଏହା ସହଜରେ ରକ୍ତରେ ଅବଶୋଷିତ ହେବା ସହିତ ରକ୍ତ ଜମାଟ ପ୍ରକିୟାକୁ ପ୍ରତିରୋଧ କରିଥାଏ।

ମଣିଷ ରକ୍ତର ଫ୍ରିବ୍ରିନ୍‌ରେ ଥିବା ଆଲବୁମିନ୍‌ ରକ୍ତ ଜମାଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହା କ୍ୟାନ୍‌ସର କୋଷିକାକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ। ହଳଦୀ ବ୍ୟବହାର ଦ୍ୱାରା ଧୀରେଧୀରେ କ୍ୟାନ୍‌ସର କୋଷିକା ନଷ୍ଟ ହେବା ସହିତ ଏହା ନିକଟବର୍ତ୍ତୀ କୋଷିକା ସୁରକ୍ଷିତ ଏବଂ ସଶକ୍ତ ହୋଇପାରିଥାନ୍ତି। ପାଟେଣ୍ଟ ମିଳିବା ପରେ ଏବେ ଏହି ଜ୍ଞାନକୌଶଳକୁ ଅନ୍ୟ ଘରୋଇ ତଥା ଅନ୍ତର୍ଜାତୀୟ ଚିକିତ୍ସା ସଂସ୍ଥାକୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚିତ୍ରା ତିରୁନାଲ୍‌ ଇନଷ୍ଟିଚ୍ୟୁଟ୍‌ ମେଡିକାଲ ସାଇନ୍ସ୍‌ର ନିର୍ଦ୍ଦେଶକ ଆଶା କିଶୋର କହିଛନ୍ତି।