ବୁର୍ଖା ପିନ୍ଧି ସାହିନବାଗ ଆନ୍ଦୋଳନର ଭିଡିଓ ରେକର୍ଡିଂ କରୁଥିବା ବେଳେ ଧରାପଡ଼ିଲେ ସାମ୍ବାଦିକା ଗୁଞ୍ଜା କପୁର

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଦିଲ୍ଲୀର ସାହିନବାଗଠାରେ ଚାଲିଥିବା ନାଗରିକତା ଆଇନ ବିରୋଧୀ ଆନ୍ଦୋଳନରେ ପ୍ରାୟ ପ୍ରତିଦିନ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି।ଗତ ସପ୍ତାହରେ ହୋଇଥିବା ଗୁଳିକାଣ୍ଡ ପରେ ଆଜି ଆଉ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳା ବୁର୍ଖା ପିନ୍ଧି ଆନ୍ଦୋଳନସ୍ଥଳୀର ଭିଡିଓ ରେକର୍ଡିଂ କରୁଥିବାବେଳେ ଧରାପଡ଼ି ହଟହଟା ହୋଇଛନ୍ତି । ସଂପୃକ୍ତ ମହିଳା ଜଣାଶୁଣା ୟୁଟ୍ୟୁବ ସାମ୍ବାଦିକା ଗୁଞ୍ଜା କପୁର ବୋଲି ଜଣାପଡ଼ିଛି । ସେ ୟୁଟ୍ୟୁବରେ ‘ରାଇଟ ନ୍ୟାରେଟିଭ’ ନାମକ ଚ୍ୟାନେଲ ପରିଚାଳନା କରନ୍ତି।

ବୁର୍ଖା ପିନ୍ଧି ସେ ସେଠାରେ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ବାରମ୍ବାର ବିଭିନ୍ନ ପ୍ରଶ୍ନ ପଚାରିବାରୁ ସେମାନେ ସଂଦେହ କରିଥିଲେ । ପରେ ସେ ଗୁଞ୍ଜା କପୁର ବୋଲି ଜଣାପଡ଼ିଥିଲା। ତାଙ୍କୁ ନେଇ ଘଟଣାସ୍ଥଳରେ ବିବାଦ ସୃଷ୍ଟି ହୋଇଥିଲା । ତେବେ କେତେକ ମହିଳା ତାଙ୍କୁ ଉଗ୍ର ଭୀଡଠାରୁ ସୁରକ୍ଷା ଦେଉଥିବା ଦେଖାଯାଇଥିଲା । ପରେ ପୁଲିସ ତାଙ୍କୁ ସରିତା ବିହାର ପୁଲିସ ଷ୍ଟେସନ ନେଇଯାଇଥିଲା । ଏହି ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କେତେକ ତାଙ୍କ ଗୋପନ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ଆଉ କେତେକ ଏହାପଛରେ ବିଜେପିର ହାତ ଥିବା କହୁଛନ୍ତି।