ବିଶ୍ୱରେ ୯ ହଜାର ୮୦୦ ଲୋକ କରୋନା ଭାଇରସ୍ ସଂକ୍ରମିତ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ :  ଚୀନରେ ପ୍ରଭାବ ବିସ୍ତାର କରିଥିବା କରୋନା ଭାଇରସ୍ ଦେଶର ସୀମା ଡେଇଁ ସାରା ବିଶ୍ୱକୁ ବ୍ୟାପୀଯାଇଥିବା ଜଣାପଡିଛି।  ଭୂତାଣୁର ଉତ୍ପତି ସ୍ଥଳ ଚୀନରେ କେବଳ ୯ ହଜାର ୬୨୯ ଏପର୍ଯ୍ୟନ୍ତ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସାରା ଦୁନିଆରେ ପ୍ରାୟ ୯ ହଜାର ୮୦୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଛନ୍ତି।

ଭୂତାଣୁ ସଂକ୍ରମଣ ପରଠାରୁ ଆକ୍ରାନ୍ତଙ୍କ ମୃତ୍ୟୁ ହାର ବି ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଚୀନରେ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଏଥିରୁ ଅଧିକାଂଶ ମୃତ୍ୟୁ ଚୀନର ହୁବେଇ ପ୍ରାନ୍ତରେ ହୋଇଥିବା ଜଣାପଡିଛି। ଗତ ଡିସେମ୍ବର ମାସରେ ଏହି ପ୍ରାନ୍ତକୁ ପ୍ରଥମ ଥର କରୋନା ଭାଇରସ ସଂକ୍ରମଣର ସ୍ଥଳ ଚିହ୍ନଟ କରାଯାଇଥିଲା। ତେବେ ଏବେ ଭୂତାଣୁ କେବଳ ଚୀନରେ ନାହିଁ ପଡୋଶୀ ଜାପାନ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ତାଇୱାନ ସମେତ ଭାରତ ଓ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିସାରିଲାଣି। ତେବେ ଆସନ୍ତୁ ଜାଣିବା ଏବେ ବିଶ୍ୱର କେଉଁ ଦେଶରେ କେତେ ଲୋକ ହୋଇଛନ୍ତି ଆକ୍ରାନ୍ତ।

ଏଥିରୁ ଥାଇଲ୍ୟାଣ୍ଡରେ ସର୍ବାଧିକ ୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପଛକୁ ରହିଛି ଜାପାନ। ଏଠାରେ ଏପର୍ଯ୍ୟନ୍ତ ୧୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ସିଙ୍ଗାପୁରରେ ୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ତାଇୱାନରେ ୯, ମାଲେସିଆରେ ୮, ଅଷ୍ଟ୍ରଲିଆରେ ୮, ଦକ୍ଷିଣ କୋରିଆରେ ୧୧, ଫ୍ରାନସରେ ୬, ଭିଏତ ନାମରେ ୫, ଆମେରିକାରେ ୬, ଜର୍ମାନରେ ୬ ଓ କାନାଡାରେ ୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ୟୁଏଇରେ ୪, ଋଷରେ ୨, ଇଟାଲୀରେ ୨, ଇଂଲଣ୍ଡରେ ୨, ଭାରତ, ଫିଲପାଇନ୍ସ, ଫିନଲ୍ୟାଣ୍ଡ, ନେପାଳ, କମ୍ବୋଡିଆ ଓ ଶ୍ରୀଲଙ୍କାରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭାରତ ସରକାର ଭୂତାଣୁ ସଂକ୍ରମିତ ଅଞ୍ଚଳରୁ ନିଜର ନାଗରିକଙ୍କୁ ଉଦ୍ଧାର ଲାଗି ଶୁକ୍ରବାର ଚୀନକୁ ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ଏଥିରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ନାଗରିକଙ୍କୁ ଅଣାଯିବା ପରେ ସିଧା ସେମାନଙ୍କ ଘରକୁ ଛଡାଯିବ ନାହିଁ। ସେମାନଙ୍କୁ ପ୍ରଥମେ କିଛି ଦିନ ପର୍ଯ୍ୟବେକ୍ଷଣରେ ରଖିବା ଲାଗି ୬୦୦ ଶଜ୍ୟା ବିଶିଷ୍ଟ ହସ୍ପିଟାଲ ସରକାର ବ୍ୟବସ୍ଥା କରି ରଖିଥିବା ଜଣାପଡିଛି।