ବିବିସିର ହିନ୍ଦୀ ରେଡିଓ ସେବା ୮୦ବର୍ଷ ପ୍ରସାରଣ ପରେ ବନ୍ଦ ହେଲା

ଦେଶ -ବିଦେଶ ବଡ ଖବର ବିଶେଷ

ନୂଆଦିଲ୍ଲୀ :  ୮୦ ବର୍ଷ ଧରି ପ୍ରସାରଣ ପରେ ବିବିସି ହିନ୍ଦୀ ରେଡିଓ ସେବା ବନ୍ଦ ହୋଇଯାଇଛି । ରେଡିଓ ଶ୍ରୋତାଙ୍କ ସଂଖ୍ୟା ହ୍ରାସ ପାଇବା ଓ ଡିଜିଟାଲ ମାଧ୍ୟମ ଉପରେ ଅଧିକ ଧ୍ୟାନଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କିଛି ସପ୍ତାହ ତଳେ ବିବିସି ପକ୍ଷରୁ ଘୋଷଣା କରାଯାଇଥିଲା ।
ଭାରତରେ ୧୯୪୦ ମସିହାରେ ନିଜର ସେବା ଆରମ୍ଭ କରିଥିବା ବିବିସି ଗତ ୮୦ ବର୍ଷ ମଧ୍ୟରେ ବିବିସି ହିନ୍ଦୀ ଭାରତର ଜନଜୀବନର ଏକ ଅଂଗ ପାଲଟିଥିଲା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ବିବିସି ହିନ୍ଦୀରେ ପ୍ରସାରିତ ଖବର ଉପରେ ଭରଷା କରୁଥିଲେ । ନିରପେକ୍ଷ ଖବର ପାଇବା ପାଇଁ ସାଧାରଣ ଭାରତୀୟଙ୍କ ପାଇଁ ଏହା ଥିଲା ଏକ ବଡ଼ ମାଧ୍ୟମ ।
ପୂର୍ବରୁ ଗତ ୨୦୧୧ରେ ବିବିସି ପକ୍ଷରୁ ହିନ୍ଦୀ ସେବା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଶ୍ରୋତାଙ୍କ ଅନୁରୋଧ ତଥା ମାର୍କ ଟୁଲି, ବିକ୍ରମ ସେଠ ଆଦି ବିଶିଷ୍ଟ ଲେଖକ ଓ ସାମ୍ବାଦିକଙ୍କ ଅନୁରୋଧ ପରେ ଏହି ସେବାକୁ ଚାଲୁ ରଖାଯାଇଥିଲା । ଏଥର ମଧ୍ୟ ବିବିସି ହିନ୍ଦୀ ସେବାକୁ ବନ୍ଦ କରିବାକୁ ଅନେକ ଶ୍ରୋତା ବିରୋଧ କରୁଛନ୍ତି ।