ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁ ସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟଠାରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, “ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ।

ଭାରତୀୟ ବିଜ୍ଞାନ ପ୍ରଯୁକ୍ତି ଓ ଇନୋଭେସନ ପରିଦୃଶ୍ୟରେ ବୈପ୍ଳବାତ୍ମକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏ ଦେଶର ଉଦୀୟମାନ ଯୁବ ବିଜ୍ଞାନୀଙ୍କ ଲାଗି ମୋର ଲକ୍ଷ୍ୟହେଉଛି, “ଉଦ୍ଭାବନ, ଉତ୍ପାଦନ ଏବଂ ସମୃଦ୍ଧି”। ଏହା ଭାରତକୁ ଦ୍ରୁତ ଅଭିବୃଦ୍ଧି ଦିଗରେ ଆଗେଇନେବ।”

ସେ ଆହୁରି କହିଛନ୍ତି, “ନୂତନ ଭାରତ ପ୍ରଯୁକ୍ତି ଏବଂ ତାର୍କିକ ମନୋଭାବ ଚାହେଁ, ଫଳରେ ଆମେ ଆମ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବା। ବିଜ୍ଞାନ ଏବଂ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାରେ କ୍ଷେତ୍ର ପ୍ରସ୍ତୁତ କରିଥାଏ ଓ ସମାଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିଥାଏ ।

ଏବେ ସୂଚନା ଓ ସଂଚାର ପ୍ରଯୁକ୍ତିର ବିକାଶ ଫଳରେ ସମସ୍ତେ ଶସ୍ତା ଦରରେ ସ୍ମାର୍ଟଫୋନ ଓ ଶସ୍ତାଡାଟା ପାଇପାରୁଛନ୍ତି। ଏହା ଦେଶରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଛି। ପୂର୍ବରୁ ଏହା ମାତ୍ର କିଛି ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା। ଏହାଦ୍ୱାରା ସାଧାରଣ ଲୋକର ମନରେ ବିଶ୍ୱାସ ଜନ୍ମିଛି ଯେ ସେ ସରକାରଙ୍କଠାରୁ ବେଶୀ ଦୂରରେ ନାହିଁ। ଏବେ ସେ ସିଧାସଳଖ ସରକାରଙ୍କ ସହଯୋଡ଼ି ହୋଇପାରିବ ଏବଂ ତା’ କଥା ଶୁଣା ଯାଇପାରିବ।”

ପ୍ରଧାନମନ୍ତ୍ରୀ ଯୁବ ବୈଜ୍ଞାନିକମାନଙ୍କୁ ଗ୍ରାମୀଣ ବିକାଶକ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆହ୍ୱାନ କରିଛନ୍ତି। ୧୦୭ତମ ଆଇଏସସିର ବିଷୟ ବସ୍ତୁ- “ବିଜ୍ଞାନ ଓ ପ୍ରଯୁକ୍ତି :ଗ୍ରାମୀଣବିକାଶ”, ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ବିଜ୍ଞାନ ଓ ପ୍ରଯୁକ୍ତି କାରଣରୁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଚିପାରିଛି।

ବିଶ୍ୱସ୍ତରରେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟା ଦୃଷ୍ଟିରୁ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ସାରାବିଶ୍ୱରେ ଏହି ଅଭିବୃଦ୍ଧି ହାର ମାତ୍ର ୪% ରହିଥିବା ବେଳେ ଭାରତ ୧୦% ହାରରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାସଲକରୁଛି ।”

ଇନୋଭେସନ ସୂଚକାଙ୍କରେ ଭାରତ ୫୨ତମ ସ୍ଥାନକୁ ଉନ୍ନୀତ ହେବା ବିଷୟରେ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତମ ପ୍ରଶାସନର ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟାପକ ସ୍ତରରେ ପ୍ରଯୁକ୍ତିର ଉପଯୋଗ କରାଯାଉଛି । ଗତକାଲି ଆମ ସରକାର ୬ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କିସ୍ତି ପ୍ରଦାନ କରିଛନ୍ତି। ସକ୍ଷମ ପ୍ରଯୁକ୍ତି କାରଣରୁ ଏହା ସମ୍ଭବପର ହୋଇପାରିଲ।

ସେ ଆହୁରି କହିଥିଲେ ଯେ ଶୌଚାଳୟ ନିର୍ମାଣ ଏବଂ ଗରିବଙ୍କୁ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ ପ୍ରଯୁକ୍ତି ହିଁ କାମରେ ଲାଗି ପାରିଛି। ଜିଓଟ୍ୟାଗିଂ ଓ ଡାଟା ସାଇନ୍ସ ଭଳି ପ୍ରଯୁକ୍ତିକାରଣରୁ ଗ୍ରାମୀଣ ଓ ସହରାଂଚଳରେ ବହୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିଛି। ଡିଜିଟାଲାଇଜେସନ, ଇ-କମର୍ସ, ଇଂଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଦ୍ୱାରା ଗ୍ରାମୀଣ ଜନ ସାଧାରଣ ବିଶେଷ ଭାବେ ଲାଭାନ୍ୱିତହେଉଛନ୍ତି।

ସେ କହିଥିଲେ ବିଭିନ୍ନ ଗ୍ରାମୀଣ ବିକାଶ ମୂଳକ ପ୍ରୟାସରେ ପ୍ରଯୁକ୍ତିର ଉପଯୋଗ କରାଯାଇପାରିବ। ଫସଲ ବର୍ଜ୍ୟ ଜଳାଇବା, ଭୂତଳ ଜଳସ୍ତର ସଂରକ୍ଷଣ, ସଂକ୍ରାମକ ରୋଗ ନିରାକରଣ, ପରିବେଶ ଅନୁକୂଳ ପରିବହନ ଆଦି ନିମନ୍ତେ ପ୍ରଯୁକ୍ତି ଭିତ୍ତିକ ସମାଧାନ ଖୋଜିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଜୋର ଦେଇ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଆଇ-ଷ୍ଟେମପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ ।