ବିଜ୍ଞପ୍ତି ପ୍ରକାଶ ପରେ ସମଗ୍ର ଦେଶରେ ଲାଗୁହେଲା ସିଏଏ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)  ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସିଏଏକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସା ଲାଗି ରହିଥିବା ସତ୍ତ୍ବେ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିଛନ୍ତି । ନାଗରିକତ୍ବ (ସଂଶୋଧନ) ଆଇନ ୨୦୧୯ର ଧାରା ୧ର ଉପଧାରା ୨ ଅନୁଯାୟୀ କେନ୍ଦ୍ର ସରକାର ନିଜର କ୍ଷମତା ପ୍ରୟୋଗ ପୂର୍ବକ ଆଇନର କାର୍ଯ୍ୟକାରୀ କରିଛନ୍ତି । ଜାନୁଆରୀ ୧୦, ୨୦୨୦ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ସଂସଦର ଗତ ଅଧିବେଶନରେ ସରକାର ନାଗରିକତ୍ବ ଆଇନ ୧୯୫୫ରେ ସଂଶୋଧନ ପୂର୍ବକ ନୂଆ ବିଧେୟକ ଆଗତ କରିଥିଲେ। ୨୦୧୯ ଡିସେମ୍ବର ୧୧ରେ ଏହି ବିଧେୟକ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପୂର୍ବକ ଆଇନର ରୂପ ନେଇଥିଲା। ସଂଶୋଧିତ ଆଇନ ଅନୁଯାୟୀ ୨୦୧୪ ଡିସେମ୍ବର ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ଖ୍ରୀଷ୍ଟିଆନ, ବୌଦ୍ଧ ଓ ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ। ତେବେ ଏହି ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବା ସହିତ ଅନେକ ଜୀବନହାନି ହୋଇଛି। ଅନେକ ରାଜ୍ୟ ଆଇନକୁ ବିରୋଧ ତଥା ପ୍ରତ୍ୟାହାର ଦାବି କରି ନିଜ ବିଧାନସଭାରେ ପ୍ରସ୍ତାବ ଗୃହୀତ କରିଛନ୍ତି। ଆଇନକୁ ପ୍ରତ୍ୟାହାର ଦାବି ପୂର୍ବକ ମିଳିତ ଆନ୍ଦୋଳନ କରିବାକୁ ବିରୋଧୀ ଦଳଗୁଡିକ ଯୋଜନା କରିଛନ୍ତି। ଏଥିପାଇଁ ଜାନୁଆରୀ ୧୩ରେ ବିରୋଧୀ ଦଳଗୁଡିକର ବୈଠକ ହେବାକୁ ସ୍ଥିର ହୋଇଛି।