ଅଭିନେତା ଋଷି କାପୁରଙ୍କ ପରଲୋକ

ଅଭିନେତା ଋଷି କାପୁରଙ୍କ ପରଲୋକ

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

#ଅଭିନେତା_ଋଷି_କାପୁରଙ୍କ_ପରଲୋକ              ମୁମ୍ବାଇ  :   ବଲିଉଡ଼ର ଲୋକପ୍ରିୟ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷରେ ପରଲୋକ ଘଟିଛି । ମହାନାୟକ ଅମିତାଭ ବଚ୍ଚନ ଋଷି କାପୁରଙ୍କର ମୃତ୍ୟୁର ସୂଚନା ଦେଇଛନ୍ତି । ଅମିତାଭ ବଚ୍ଚନ ଟୁଇଟ୍ କରି କହିଛନ୍ତି- ସେ ଚାଲିଯାଇଛନ୍ତି । ମୁଁ ବହୁତ ଭାଙ୍ଗିପଡ଼ିଛି ।
ବୁଧବାର ଦିନ ଋଷି କାପୁର ହଠାତ ଅସୁସ୍ଥ ହେବା କାରଣରୁ ତାଙ୍କୁ ମୁମ୍ବାଇର ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା । ଏ ବିଷୟରେ ତାଙ୍କର ବଡ଼ ଭାଇ ରଣଧିର କାପୁର ସୂଚନା ଦେଇଥିଲେ । ରଣଧିର କାପୁର କହିଥିଲେ ଋଷି ହସପିଟାଲରେ ଭର୍ତି କରାଯାଇଛି । ତାଙ୍କ ସହିତ ତାଙ୍କର ପତ୍ନୀ ନିତୁ କପୁର ମଧ୍ୟ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ । ଏହା ପୂର୍ବରୁ ଫେବୃଆରୀ ମାସରେ ମଧ୍ୟ ତାଙ୍କର ଶାରୀରିକ ସମସ୍ୟା କାରଣରୁ ଦିଲ୍ଲୀର ଏକ ହସପିଟାଲରେ ଭର୍ତି କରାଯାଇଥିଲା ।
ଋଷି କାପୁର ୨୦୧୯ ସେପ୍ଟେମ୍ବରରେ ନ୍ୟୁୟର୍କରେ କ୍ୟାନସର ପାଇଁ ଏକବର୍ଷର ଚିକିତ୍ସା ପରେ ଦେଶକୁ ଫେରିଥିଲେ । ତାଙ୍କୁ ୨୦୧୮ରେ କ୍ୟାନ୍ସର ହେବାର ଜଣାପଡ଼ିଥିଲା । ସେଥିପାଇଁ ତାଙ୍କୁ ନ୍ୟୁୟର୍କରେ୧୧ ମାସ ୧୧ଦିନର ଚିକିତ୍ସା ପରେ ଫେରିବାକୁ ପଡ଼ିଥିଲା । ସେଠାରେ ମଧ୍ୟ ତାଙ୍କ ସହିତ ତାଙ୍କର ପତ୍ନୀ ନିତୁ କପୁର ଥିଲେ । ସେ ସମୟରେ ତାଙ୍କର ପୁତ୍ର ରଣବୀର ନ୍ୟୁୟର୍କ ନିୟମିତ ଯାଉଥିଲେ । କିଛିଦିନ ପୂର୍ବରୁ ସେ ନିଜର ଚିକିତ୍ସା ବିଷୟରେ କହିବା ସମୟରେ କହିଥିଲେ ଯେ ମୁଁ କାମ କରିବା ପାଇଁ ବହୁତ ଫ୍ରେସ ଏବଂ ପ୍ରସ୍ତୁତ ଅଛି । ମୁଁ କ୍ୟାମେରା ସାମ୍ନା କରିବାପାଇଁ ଖୁବ୍ ଉତ୍ସାହିତ । ମୋର ବିଶ୍ୱାସ ମୁଁ ଅଭିନୟ ଭୁଲିଯାଇ ନଥିବି ।
ଯେତେବେଳେ ଋଷି କପୁର ନ୍ୟୁୟର୍କରେ ଥିଲେ ସେ ସମୟରେ ପ୍ରିୟଙ୍କା ଚୋପ୍ରା, ଅନୁପମ ଖେର, ଅମିର ଖାନ, ଶାହରୁଖ ଖାନ, ଦିପିକା ପାଦୁକୋନ, କରଣ ଜୋହର, ମଲାଇକା ଆରୋଡା ତଥା ଅନେକ ସେଲିବ୍ରେଟି ତାଙ୍କୁ ଦେଖା କରିବାକୁ ଯାଇଥିଲେ । ଋଷି କପୁର ଶେଷଫିଲ୍ମ ଇମ୍ରାନ ହାସମିଙ୍କ ସହିତ ଦେଖିବାକୁ ମିଳିଥିଲେ । ସେ ନିର୍ଦ୍ଦେଶକ ହିତେଷ ଭାଟିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ଶର୍ମାଜୀ ନମକୀନରେ ଜୁହି ଚାୱାଲାଙ୍କ ସହ ଦେଖାଦେବାର ଥିଲା ।
୧୯୫୨ରୁ ୨୦୨୦ ଅଭିନୟର ଲମ୍ବା ଯାତ୍ରାରେ ଅନେକ ଗୁଡ଼ିଏ ସମ୍ମାନ ସାଉଁଟିଥିଲେ ସେ । ପ୍ରଥମଥର ପରଦାରେ ହିରୋ ଭାବରେ ଫିଲ୍ମ ବବିରେ ଚମତ୍କାର ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ଼ ପାଇଥିଲେ ।  ସେ ମାତ୍ର ତିନିବର୍ଷ ବୟସରେ ବଡ଼ ପରଦାରେ ଦେଖାଦେଇଥିଲେ । ପିତା ରାଜ କାପୁରଙ୍କ ଶ୍ରୀ-୪୨୦ରେ ଲୋକପ୍ରିୟ ‘ପ୍ୟାର ହୁଆ ଇକରାର ହୁଆ…’ ଗୀତରେ ବର୍ଷାରେ ଭିଜୁଥିବା କୁନି କଳାକାରଟି ଥିଲେ ନିଜେ ଋଷି । ଏହାପରେ ମେରାନାମ ଜୋକର ଫିଲ୍ମରେ ରାଜ କାପୁରଙ୍କ ପିଲାଦିନର ଚରିତ୍ରରେ ଶିଶୁ କଳାକାର ଭାବରେ ମଧ୍ୟ ଦେଖା ଦେଇଥିଲେ । କିନ୍ତୁ ହିରୋ ଭାବରେ ବବି ଥିଲା ତାଙ୍କର ପ୍ରଥମ ଫିଲ୍ମ । ମେରାନାମ ଜୋକର ପାଇଁ ଜାତୀୟ ସମ୍ମାନ ଠାରୁ ଆରମ୍ଭ କରି ଫିଲ୍ମ ଫେୟାର, ଲାଇଫ ଟାଇମ୍ ଆଚିଭମେଂଟ ଆୱାର୍ଡ଼ ମଧ୍ୟ ପାଇଥିଲେ । ଏପରିକି ସିନେମା ପ୍ରତି ଅବଦାନ ପାଇଁ ରୁଷ ସରକାର ମଧ୍ୟ ତାଙ୍କୁ ସମ୍ମାନୀତ କରିଥିଲେ ।