ବଲିଉଡ଼ରେ ୨୦୧୯ ଥିଲା ନୂଆ କଳାକାରଙ୍କ ବର୍ଷ

Lookback 2019 ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

ମୁମ୍ବାଇ: ୨୦୧୯ରେ ବଲିଉଡ଼ ଅନେକ ନୂଆ କଳାକାରଙ୍କୁ ଦର୍ଶକମାନଙ୍କୁ ଭେଟିଦେଇଛି। କିଛି ସଫଳତା ଓ କିଛି ବିଫଳତାକୁ ନେଇ ୨୦୧୯ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ପରିବେଷଣ କରିବାରେ ସକ୍ଷମ ହୋଇଛି। ଏ ବର୍ଷ ଅନେକ ନୂଆ କଳାକାରଙ୍କ ସହ କିଛି ଷ୍ଟାର କିଡ୍‍ସ ମଧ୍ୟ ବଲିଉଡ଼ରେ ପାଦ ଥାପିଛନ୍ତି। ଆସନ୍ତୁ ଜାଣିବା ୨୦୧୯ରେ ବଲିଉଡ଼ରେ ଏଣ୍ଟ୍ରି କରିଥିବା ନୂଆ ତାରକାଙ୍କ ବିଷୟରେ ଏବଂ ଏହା ମଧ୍ୟ ଜାଣିବା ଯେ ସେମାନଙ୍କ ଚଳଚ୍ଚିତ୍ର ହିଟ୍‍ ହୋଇଛି ନା ଫ୍ଲପ୍‍-

ଅନନ୍ୟା ପାଣ୍ଡେ: ଚଙ୍କୀ ପାଣ୍ଡେଙ୍କ ଝିଅ ଅନନ୍ୟା ଚଳିତ ବର୍ଷ ‘ଷ୍ଟୁଡେଣ୍ଟ୍‍ ଅଫ୍‍ ଦି ଇୟର-୨’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିଛନ୍ତି। ମେ’ ୧୦ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। କରଣ ଜୋହରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ପୁନୀତ ମାଲହୋତ୍ରା ବହନ କରିଥିଲେ। ଅନନ୍ୟାଙ୍କ ପ୍ରଥମ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍‍ ସାବ୍ୟସ୍ତ ହୋଇଛି।

ତାରା ସୁତାରିଆ: ତାରା ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ମଧ୍ୟ ‘ଷ୍ଟୁଡେଣ୍ଟ୍‍ ଅଫ୍‍ ଦି ଇୟର-୨’। ତାରା ଓ ଅନନ୍ୟା ଉଭୟ ଏହି ଚଳଚ୍ଚିତ୍ରରେ ନାୟିକା ଭାବେ ନଜର ଆସିଥିଲେ। ପ୍ରଥମ ଚଳଚ୍ଚିତ୍ର ଫ୍ଲପ୍‍ ହେବା ସତ୍ତ୍ବେ ଦୁହିଁଙ୍କ ନିକଟରେ ଏବେ ଅନେକ ଅଫର୍‍ ରହିଛି।

ହୀର ଇକ୍‍ବାଲ୍‍: ‘ନୋଟ୍‍ ବୁକ୍‍’ ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଖାନ୍‍ ଜହୀରଙ୍କୁ ବଲିଉଡ଼କୁ ଆଣିଥିଲେ। ଏହା ୨୯ ମାର୍ଚ୍ଚରେ ପରଦାକୁ ଆସିଥିଲା। ଚଳଚ୍ଚିତ୍ରର ବଜେଟ୍‍ ୧୫ କୋଟି ଥିବା ବେଳେ ଏହା କେବଳ ୩ କୋଟି ଟଙ୍କା ଆୟ କରିଥିଲା। ବକ୍ସ ଅଫିସରେ ଏହା ସମ୍ପୂର୍ଣ୍ଣ ରୂପେ ଫ୍ଲପ୍‍ ହୋଇଛି।

ପ୍ରନୂତନ ବହଲ: ଅଭିନେତା ମୋହନୀଶ ବହଲଙ୍କ ଝିଅ ପ୍ରନୂତନ ମଧ୍ୟ ‘ନୋଟ୍‍ ବୁକ୍‍’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ ଏବଂ ପ୍ରଥମ ଚଳଚ୍ଚିତ୍ର ହିଁ ଫ୍ଲପ୍‍ ସାବ୍ୟସ୍ତ ହେଲା।

କରଣ ଦେଓଲ: ଲୋକପ୍ରିୟ ଅଭିନେତା ସନୀ ଦେଓଲ ଦୀର୍ଘ ଦିନର ଅପେକ୍ଷା ପରେ ‘ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍’ ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କ ପୁଅ କରଣଙ୍କ ବଲିଉଡ଼ ଏଣ୍ଟ୍ରି କରାଇଛନ୍ତି। ଏହାର ନିର୍ଦ୍ଦେଶନା ଭାର ନିଜେ ସନୀ ହିଁ ବହନ କରିଥିଲେ। ଏହି ଚଳଚ୍ଚିତ୍ର ୨୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା କିନ୍ତୁ ବକ୍ସ ଅଫିସରେ ଫ୍ଲପ୍‍ ହୋଇଥିଲା।

ସହର୍‍ ବାମ୍ବା: ‘ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍’ ଚଳଚ୍ଚିତ୍ରରେ କରଣଙ୍କ ବିପକ୍ଷରେ ସହର୍‍ ନାୟିକା ଭାବେ ନଜର ଆସିଥିଲେ। ସନୀ ଜଣେ ନୂଆ ନାୟିକାଙ୍କ ସହ ହିଁ ନିଜ ପୁଅକୁ ଲଞ୍ଚ୍‍ କରିବାକୁ ଚାହୁଁଥିଲେ। ତେଣୁ ସେ ସହର୍‍ଙ୍କୁ ଚୟନ କରିଥିଲେ। ଚଳଚ୍ଚିତ୍ର ୬୦ କୋଟି ଟଙ୍କାର ବଜେଟ୍‍ରେ ନିର୍ମାଣ ହୋଇଥିଲା। ମାତ୍ର କେବଳ ୧୦ କୋଟି ଟଙ୍କା ଆୟ କରି ଏହା ଫ୍ଲପ୍‍ ସାବ୍ୟସ୍ତ ହୋଇଥିଲା।

ଅଭିମନ୍ୟୁ ଦସାନୀ: ‘ମୈନେ ପ୍ୟାର୍‍ କିୟା’ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ମଧ୍ୟ ଚଳିତ ବର୍ଷ ବଲିଉଡ଼ରେ ଏଣ୍ଟ୍ରି କରିଛନ୍ତି। ‘ମର୍ଦ କୋ ଦର୍ଦ ନେହିଁ ହୋତା’ ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡ଼ରେ ପାଦ ଥାପିଛନ୍ତି। ଏହି ଚଳଚ୍ଚିତ୍ର ୨୧ ମାର୍ଚ୍ଚରେ ପରଦାକୁ ଆସିଥିଲା। ବସନ ବାଲା ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ର ମଧ୍ୟ ସମ୍ପୂର୍ଣ୍ଣ ରୂପେ ଫ୍ଲପ୍‍ ହୋଇଥିଲା।

ବରଦାନ ପୁରୀ: ପ୍ରଖ୍ୟାତ ଅଭିନେତା ଅମରିଶ ପୁରୀଙ୍କ ନାତି ବରଦାନ ଚଳିତ ବର୍ଷ ‘ୟେ ଶାଲି ଆଶିକୀ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିଛନ୍ତି। ଏହା ୨୨ ନଭେମ୍ବରରେ ମୁକ୍ତିଲାଭ କରିଥିଲା। ଚିରାଗ ରୂପରେଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍‍ ସାବ୍ୟସ୍ତ ହୋଇଛି।