ବଢୁଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବୋଝ, ଅବସର ବୟସସୀମା ବଢାଇବାକୁ ବିଚାର

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ବଜେଟରେ ପେନସନ ବ୍ୟୟ ପରିମାଣ ଅନ୍ୟ ଖର୍ଚ୍ଚଠାରୁ ବଢିଚାଲିଥିବାରୁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ପ୍ରତିରକ୍ଷା ଉପକରଣ ଖରିଦ କରିବା ପାଇଁ ଯେତିକି ବ୍ୟୟବରାଦ କରାଯାଇଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବଜେଟ ତାହାକୁ ବଳିଯାଇଛି ।
ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କେତେକ ଖର୍ଚ୍ଚକାଟ ଯୋଜନା କରାଯାଉଛି । ନୂଆ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ଏହି ପ୍ରସ୍ତାବ ଦେଇଛନ୍ତି ।

ଏହା ମଧ୍ୟରେ ଥିବା ପ୍ରମୁଖ ପ୍ରସ୍ତାବ ହେଉଛି ପ୍ରତିପକ୍ଷା ବାହିନୀରେ କାମ କରୁଥିବା ଅଣସାମରିକ କର୍ମଚାରୀ ( ଯେପରିକି ଅଫିସ କର୍ମଚାରୀ, ସହାୟକ କର୍ମଚାରୀ ଓ ମେଡିକାଲ କର୍ମଚାରୀ) ଙ୍କ ଅବସର ବୟସସୀମାକୁ ବର୍ତ୍ତମାନର ୩୯ ବର୍ଷରୁ ୫୮କୁ ବୃଦ୍ଧି କରିବା । ଏପରି ହେଲେ ସରକାରଙ୍କ ବ୍ୟୟ କିଛିଟା ହ୍ରାସ ପାଇବ । ଆଉ ଏକ ଖର୍ଚ୍ଚକାଟ ପ୍ରସ୍ତାବ ମଧ୍ୟରେ ରହିଛି ମିଲିଟାରୀ କମାଣ୍ଡରମାନଙ୍କୁ ବିଳାଶମୟ ବଙ୍ଗଳାରେ ନରଖି ଆପାର୍ଟମେଣ୍ଟ ଫ୍ଲାଟରେ ରଖିବା । ଏହା ଦ୍ୱାରା ସୁରକ୍ଷା ଓଅନ୍ୟାନ୍ୟ ବ୍ୟୟ କମିବ । ଏସବୁ ଖର୍ଚ୍ଚକାଟ ମଧ୍ୟରେ ପ୍ରତିରକ୍ଷା ବାହିନୀ ଆସନ୍ତା ୭ ବର୍ଷରେ ପ୍ରାୟ ୩୫ ହଜାର କୋଟି ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ।

ଏଥରର ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୩ ଲକ୍ଷ ୩୭ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିରକ୍ଷା ଉପକରଣ ଖରିଦ କରିବା ପାଇଁ ଯେତିକି ବ୍ୟୟବରାଦ କରାଯାଇଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବଜେଟ ତାହାକୁ ବଳିଯାଇଛି । ଏହା ମଧ୍ୟରୁ ଦେଶର ପ୍ରତିରକ୍ଷା ପେନସନ ବଜେଟ୍‌ ୧ ଲକ୍ଷ ୩୩ ହଜାର କୋଟି ଥିବାବେଳେ , ନୂଆ ଅସ୍ତ୍ରଶସ୍ତ୍ର ଖରିଦ କରିବା ପାଇଁ ତାଠାରୁ କମ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କା ରଖାଯାଇଛି ।