ବଜେଟରେ ଜୋତା,ଟାୟାର, କାଗଜ ସମେତ ୩୦୦ ସାମଗ୍ରୀର ଦରବୃଦ୍ଧି ହେବ !

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ : ଆଗାମୀ ବଜେଟରେ ଦେଶକୁ ଆମଦାନୀ ହୋଇ ଆସୁଥିବା ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହେବାର ସମ୍ଭାବନା ରହିଛି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି ଖେଳନା, ଜୋତା,ରବର ସାମଗ୍ରୀ, ଫର୍ଣ୍ଣିଚର, କାଗଜ,ରସାୟନ ଇତ୍ୟାଦି । କେନ୍ଦ୍ର ସରକାର ବଜେଟରେ ଏସବୁ ସାମଗ୍ରୀ ଉପରେ ସୀମା ଶୁଳକ ବୃଦ୍ଧି କରିବାର ସମ୍ଭାବନା ରହିଛି ।
ଦେଶରେ ମେକ ଇନ ଇଣ୍ଡିଆକୁ ପ୍ରେତ୍ସାହିତ କରିବାକୁ ସରକାର ଏହି ପଦକ୍ଷେପ ନେଇପାରନ୍ତି ।

ମିଳିଥିବା ସୂଚନା ଅନୁସାରେ ଘରୋଇ ଶିଳ୍ପ ସଂସ୍ଥାମାନଙ୍କ ସ୍ୱାର୍ଥ ରକ୍ଷା କରିବାକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରାୟ ୩ ଶହଟି ଆମଦାନୀ ସାମଗ୍ରୀ ଉପରେ ସୀମାଶୁଳକ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି ।ଜୋତା ଉପରେ ଏବେ ୨୫ ପ୍ରତିଶତ ସୀମା ଶୁଳକ ଲାଗୁହେଉଥିବାବେଳେ ତାହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ନ୍ୟୁମାଟିକ ଟାୟାର ରବର ଉପରେ ସୀମା ଶୁଳକକୁ ବର୍ତ୍ତମାନର ୧୦ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । କାଠ ଫର୍ଣ୍ଣିଚର ଉପରେ ଏବେ ୨୦ ପ୍ରତିଶତ ସୀମା ଶୁଳକ ଲାଗୁ ହେଉଥିବାବେଳେ ତାହାକୁ ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ ।