ପ୍ରତୀରକ୍ଷା କ୍ଷେତ୍ରରେ ହେବ ୭୪ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ, ସମୃଦ୍ଧ ହେବ କୋଇଲା ଓ ଖଣି

ପ୍ରତୀରକ୍ଷା କ୍ଷେତ୍ରରେ ହେବ ୭୪ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ, ସମୃଦ୍ଧ ହେବ କୋଇଲା ଓ ଖଣି

ଦେଶ -ବିଦେଶ ବଡ ଖବର

#ପ୍ରତୀରକ୍ଷା,_କୋଇଲା_ଓ_ଖଣି_କ୍ଷେତ୍ର_ହେବ_ସମୃଦ୍ଧ     ନୂଆଦିଲ୍ଲୀ  : ପ୍ରତୀରକ୍ଷା କ୍ଷେତ୍ରରେ  ଭାରତ ହେବ ଆତ୍ମ ନିର୍ଭରଶୀଳ । ଏକ୍ୋତ୍ରରେ ୭୪ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ମିଳିବ। ସେହିପରି କୋଇଲା ଓ ଖଣି କ୍ଷେତ୍ର ହେବ ସମୃଦ୍ଧ  । ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି। ଦେଶରେ ଦେଖାଦେଇ ଥିବା ମାନ୍ଦା ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ପ୍ୟାକେଜର  ଆର୍ଥିକ ଆବଣ୍ଟନ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତୃତୀୟ ଦିନ ପାଇଁ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ବିଗତ କିଛି ମାସ ହେବ ପୁଞ୍ଜି ବିନିଯୋଗ କ୍ଷେତ୍ରକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ଅନେକ ପରିବର୍ତ୍ତନ କରାଯାଇଛି। ଏଥି ପାଇଁ କ୍ଷମତାପନ୍ନ ସଚିବ ଗୋଷ୍ଠୀଙ୍କୁ ନେଇ ସମୟ ସମୟରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ପୁଞ୍ଜି ବିନିଯୋଗକାରୀଙ୍କ ମଧ୍ୟରେ ସହଯୋଗ ସ୍ଥାପନ ପାଇଁ ପ୍ରତ୍ୟେକ ମନ୍ତ୍ରାଳୟରେ ପ୍ରୋଜେକ୍ଟ ଡେଭଲେପମେଣ୍ଟ ସେଲ ଖୋଲାଯାଇଥିବା ମନ୍ତ୍ରୀ କହିଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରି ନିର୍ମଳା କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଥିବା ଶକ୍ତି ବିତରଣ କମ୍ପାନୀଗୁଡିକର ଘରୋଇକରଣ କରାଯିବ। ସେ କହିଛନ୍ତି, ସେହିସବୁ ଅଂଚଳରେ ଲାଗୁ ହେବାକୁ ଥିବା ଶୁଳ୍କ ମୁଖ୍ୟତଃ ଗ୍ରାହକଙ୍କ ଅଧିକାର, ଶିଳ୍ପଗୁଡିକର ପ୍ରୋତ୍ସାହନ ଏବଂ କ୍ଷେତ୍ରର ସ୍ଥାୟୀତ୍ୱ ଉପରେ ନିର୍ଭର କରିବ। ଅନ୍ୟ ପକ୍ଷରେ ସାମାଜିକ ଭିତ୍ତିଭୂମି ପ୍ରକଳ୍ପଗୁଡିକରେ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୮ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ।

ଅର୍ଥତ୍ମନ୍ତ୍ରୀ  କହିଛନ୍ତି, ଶିଳ୍ପ ଭିତ୍ତିଭୂମିର ନବୀକରଣ ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ଏହି ବିଷୟରେ ଆଲୋଚନା କରିବା ଆବଶ୍ୟକ। ଶିଳ୍ପ ଜମି ବ୍ୟାଙ୍କ କ୍ଲଷ୍ଟରଗୁଡିକ ବହୁ ପୂର୍ବରୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ତାହା ଚିହ୍ନଟ କରାଯାଉଛି। ସେ କହିଛନ୍ତି, ୮ଟି କ୍ଷେତ୍ରରେ ଗଠନମୂଳକ ସଂସ୍କାର ଆଣିବାକୁ ସରକାର ବଦ୍ଧ ପରିକର ଓ ସେହି କ୍ଷେତ୍ରଗୁଡିକ ହେଉଛି କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ଏୟାରସ୍ପେସ୍ ପରିଚାଳନା ଓ ବିମାନବନ୍ଦର, ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା, କେନ୍ଦ୍ରଶାସିତ ଅଂଚଳରେ ଶକ୍ତି ବଣ୍ଟନ, ମହାକାଶ ଓ ପରମାଣୁ ଶକ୍ତି।

କୋଇଲାର ବାଣିଜ୍ୟିକ ଖନନ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଯେ ରାଜସ୍ୱ ବଣ୍ଟନ ଆଧାରରେ କୋଇଲା ବ୍ୟବସାୟିକ ଖନନ କରାଯିବ। ଏଣିକି କୋଇଲା ଖଣିରେ ସରକାରୀ ଏକଚାଟିଆ ରହିବ ନାହିଁ। ଟନ୍ ପିଛା ମୂଲ୍ୟ ନିର୍ଦ୍ଧାରଣ ବଦଳରେ ରାଜସ୍ୱ ବଣ୍ଟନ ପ୍ରଣାଳୀ ଉପରେ ଆଧାର କରି ଏହା ସ୍ଥିର କରାଯିବ। ଯେ କେହି କୋଇଲା ବ୍ଲକ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାରିବେ ଏବଂ ଖୋଲା ବଜାରରେ ବିକ୍ରି କରିପାରିବେ।ନିର୍ମଳା କହିଛନ୍ତି ଯେ ଭାରତରେ ମୂଲ୍ୟବାନ କୋଇଲା ଉପଲବ୍ଧ ରହିଛି ଓ ଏହା ବିଶ୍ୱ ବଜାରରେ ତୃତୀୟ ବୃହତ୍ତମ ସ୍ଥାନରେ ରହିଛି, ତଥାପି ଆମେ କୋଇଲା ଆମଦାନୀ କରୁଛୁ ଏବଂ କଞ୍ଚାମାଲ ଉପଲବ୍ଧ ନ ଥିବାରୁ ଦେଶର ଅନେକ ବିକାଶଶୀଳ କ୍ଷେତ୍ରଗୁଡିକ କ୍ଷତିଗ୍ରସ୍ତ ହେଉଛି। ସେ କହିଛନ୍ତି, କୋଇଲା ଅଭାବ ଥିବାବେଳେ ନିୟମାବଳୀର ଆବଶ୍ୟକତା ରହିଛି କିନ୍ତୁ ଭାରତରେ ପ୍ରଚୁର କୋଇଲା ଅଛି। ଅନ୍ୟ ପକ୍ଷରେ ଆଗାମୀ ଦିନରେ କୋଇଲା ସ୍ଥରରେ ଗଛିତ ମିଥେନ ମଧ୍ୟ ନିଲାମ ପରିସରଭୁକ୍ତ ହେବ। ଏଥିରେ ଆନୁସଙ୍ଗିକ କାର୍ଯ୍ୟ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି।

ଖଣିଜ ଦ୍ରବ୍ୟ କ୍ଷେତ୍ରରେ ଘରୋଇ ନିବେଶ ବୃଦ୍ଧି ବିଷୟରେ ବିତ୍ତମନ୍ତ୍ରୀ କହିଛନ୍ତି ଯେ ଖୋଲା ଏବଂ ସ୍ୱଚ୍ଛ ନିଲାମ ପ୍ରକ୍ରିୟା ମାଧ୍ୟମରେ ଘରୋଇ କ୍ଷେତ୍ର ପାଇଁ ୫୦୦ ଖଣି ବ୍ଲକ ପ୍ରଦାନ କରାଯିବ। ଆଲୁମିନିୟମ ଶିଳ୍ପର ଚାହିଦାକୁ ବୃଦ୍ଧି କରିବା ପାଇଁ ବକ୍ସାଇଟ୍ ଏବଂ କୋଇଲା ଖଣିଜ ବ୍ଲକଗୁଡିକର ମିଳିତ ନିଲାମ ଆରମ୍ଭ କରାଯିବ। ଖଣି ଲିଜ୍ ସ୍ଥାନାନ୍ତର ତଥା ଅଧିକ ଅବ୍ୟବହୃତ ଖଣିଜ ପଦାର୍ଥ ବିକ୍ରୟକୁ ଅନୁମତି ଦେବା ପାଇଁ ବ୍ୟବହୃତ ଓ ଅବ୍ୟବହୃତ ଖଣି ମଧ୍ୟରେ ପାର୍ଥକ୍ୟ ଦୂର କରାଯାଇ ଖଣି ଏବଂ ଖଣିଜ ଉତ୍ପାଦନରେ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପ୍ରତିରକ୍ଷା ଉତ୍ପାଦନରେ ମଧ୍ୟ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ପ୍ରତିବନ୍ଧକ, ଆମଦାନୀ ହୋଇଥିବା ଯନ୍ତ୍ରାଂଶର ସ୍ୱଦେଶୀକରଣ, ଘରୋଇ କ୍ରୟ ପାଇଁ ପୃଥକ ବଜେଟ୍ ବ୍ୟବସ୍ଥା, ବୃହତ ପ୍ରତିରକ୍ଷା ଆମଦାନୀ ବିଲ୍ ହ୍ରାସ କରିବା, ଅର୍ଡାନ୍ସ କାରଖାନା ବୋର୍ଡର କର୍ପୋରେଟାଇଜେସନ୍, ଏଫଡିଆଇ ସୀମା ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି ଓ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା ନିଷ୍ପତ୍ତି ଗ୍ରହଣ ଭଳି ବିଷୟ ଏଥିରେ ଅନ୍ତର୍ଭୁକ୍ତ।

ଅର୍ଥମନ୍ତ୍ରୀ  ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଘୋଷଣା କରି କହିଛନ୍ତି ଯେ, ଉଡ଼ାଣରେ ହ୍ରାସ ପାଇଁ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ବେସାମରିକ ବିମାନ ଚଳାଚଳ ପାଇଁ ଦକ୍ଷ ପରିଚାଳନା ଓ ଭାରତୀୟ ବାୟୁମଣ୍ଡଳର ମାତ୍ର ୬୦ ପ୍ରତିଶତ ମୁକ୍ତ ଉପଲବ୍ଧତା ନିଶ୍ଚିତ କରାଯିବ। ସରକାରୀ ଓ ଘରୋଇ ଭାଗିଦାରୀତା ଆଧାରରେ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ୬ଟି ମଧ୍ୟରୁ ୩ଟି ବିମାନବନ୍ଦରକୁ ପୁରସ୍କୃତ କରିଥିବା ସେ କହିଛନ୍ତି। ସେହିପରି ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନା ବିଷୟ ଉଲ୍ଲେଖ କରି ନିର୍ମଳା କହିଛନ୍ତି ଯେ ଉଭୟ ମାନବ ଶକ୍ତି ଏବଂ ଦକ୍ଷତା କ୍ଷେତ୍ରରେ ଭାରତର ସାମର୍ଥ୍ୟ ଅଛି ଯାହା ଆଗାମୀ ଦିନରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଦିଗକୁ ଯାଉଥିବା ଅନେକ ବିମାନ ପାଇଁ ଏକ ହବ୍ ହେବ। ପ୍ରତିରକ୍ଷା ଓ ସାମରିକ କ୍ଷେତ୍ରରେ ଅର୍ଥନୈତିକ ସମାନତା ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।ମହାକାଶ କାର୍ଯ୍ୟକଳାପ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ଅନୁମତି ଦିଆଯିବ ଯେଉଁଥିରେ ଗ୍ରହ ଅନୁସନ୍ଧାନ ଓ ମହାକାଶ ଭ୍ରମଣ ଆଦି ରହିଛି। ଅନ୍ୟ ପକ୍ଷରେ ଇସ୍ରୋରେ ଉପଲବ୍ଧ ସୁବିଧା ସୁଯୋଗର ବ୍ୟବହାର ପାଇଁ ଘରୋଇ କ୍ଷେତ୍ରକୁ ଅନୁମତି ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।