ପୁଣି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ଚାଇନା

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ:  ପୁଣିଥରେ ପାକିସ୍ତାନର ପରମ ବନ୍ଧୁ ଚାଇନା ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତାବ ଦେଇଛି। ରୁଦ୍ଧଦ୍ୱାର ବୈଠକରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚାହିଁଛି। ତେବେ ପୂର୍ବଭଳି ଚାଇନାର ଏହି ପ୍ରସ୍ତାବ ପୁଣିଥରେ ଫେଲ ମାରିବ। କାରଣ ଜାତିସଂଘରେ ଥିବା ଅନ୍ୟ ସଦସ୍ୟମାନେ ଚାଇନାର ଏଭଳି ପ୍ରସ୍ତାବରେ ଏକମତ ହୋଇନାହାନ୍ତି।

ଫ୍ରାନ୍ସ କୂଟନୀତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଲବି ଆରମ୍ଭ କରିଛି। ହେଲେ ଫ୍ରାନ୍ସ ପୂର୍ବଭଳି ଏଥର ମଧ୍ୟ ଭାରତର ସମର୍ଥନ କରିବ ଏବଂ ଚାଇନାର ପ୍ରସ୍ତାବକୁ ବିରୋଧ କରିବ। ଗୋଟିଏ ଆଫ୍ରିକାନ ଦେଶର ସ୍ଥିତି ଉପରେ ଆଲୋଚନା କରିବାକୁ ଜାତିସଂଘ ପକ୍ଷରୁ ରୁଦ୍ଧଦ୍ୱାର ବୈଠକ ଡକା ଯାଇଛି।

ହେଲେ ଚାଇନା ଏହି ମଉକାରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛି। ଫ୍ରାନ୍ସ ପୂର୍ବଭଳି ଏଥର ମଧ୍ୟ କଶ୍ମୀରକୁ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ କହିଛି। ଏଥିସହ ଚାଇନାର କଶ୍ମୀର ଗୋଟି ଚାଳନାକୁ ମଧ୍ୟ ଫ୍ରାନ୍ସ ବିରୋଧ କରିବ। ତେବେ ଆସନ୍ତାକାଲି ରାତି ପ୍ରାୟ ୯.୩୦ରେ ନ୍ୟୁୟର୍କରେ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏପରି ହେଲେ କେବଳ ରାଜନୀତିକ ବ୍ୟକ୍ତି ମାନଙ୍କୁ ଅଟକ ରଖିବା ପ୍ରସଙ୍ଗରେ ଆଲୋଚନା ହେବ। ହେଲେ କଶ୍ମୀର ବାବରେ ବିସ୍ତୃତ ଆଲୋଚନା ହୋଇ ନପାରେ।

ଗତମାସରେ ମଧ୍ୟ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକରେ କଶ୍ମୀର ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ରୁଷ, ଫ୍ରାନ୍ସ, ଆମେରିକା ଓ ବ୍ରିଟେନ ଏହାକୁ ବିରୋଧ କରିବାରୁ ଏହା କାଟ ଖାଇଯାଇଥିଲା।