ପିଲାଙ୍କୁ ଚାପମୁକ୍ତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଉପଦେଶ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଯଦି ଗୋଟାଏ ସ୍ପ୍ରିଙ୍ଗ୍‌କୁ ନିର୍ଦ୍ଦିଷ୍ଟ ସ୍ତର ଯାଏଁ ଟଣାଯାଏ ତାହା କାର୍ଯ୍ୟକ୍ଷମ ହେବ, କିନ୍ତୁ ତା’ଠାରୁ ଅଧିକ ଟାଣିଲେ ତାହା ତାର ହୋଇ ଅକାମି ହୋଇଯିବ। ସାରା ଜୀବନ ଉନ୍ନତି କରି ଚାଲିବାକୁ ପିଲାମାନଙ୍କୁ ସହାୟତା କରନ୍ତୁ, କିନ୍ତୁ ଚାପ ପକାନ୍ତୁ ନାହିଁ ବୋଲି ସୋମବାର ଦିନ ନୂଆଦିଲ୍ଲୀର ତାଲ୍‌କତୋରା ଷ୍ଟାଡିୟମ୍‌ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣରେ ଅଭିଭାବକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉପଦେଶ ଦେଇଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରେ ସେ କହିଲେ ମୋତେ ନିୟମିତ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଭାଗ ନେବାକୁ ପଡ଼େ, କିନ୍ତୁ ‘ପରୀକ୍ଷା ପେ ଚର୍ଚ୍ଚା’ ମୋର ଅତି ପ୍ରିୟ କାର୍ଯ୍ୟକ୍ରମ। ମେଧାବୀ ଓ ସୃଜନଶୀଳ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ମୋତେ ଆନନ୍ଦ ଲାଗେ।ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରି ସେ କହିଲେ ଚାଲ, ଆଜିକାଲି ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ ହେଉଥିବା ‘ହାସ୍‌ଟ୍ୟାଗ୍‌ ଉଇଦାଉଟ୍‌ ଫିଲ୍‌ଟର୍‌’ରୁ ଆରମ୍ଭ କରିବା।

ବୋର୍ଡ ପରୀକ୍ଷା ଲାଗି ବିବ୍ରତ ଓ ଛାନିଆ ନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ବିଫଳତା ଏବଂ ନିରାଶା ପ୍ରସଙ୍ଗ ଉଠାଇ କହିଲେ ଯେ ବିଫଳତା ଜୀବନର ଅଂଶବିଶେଷ। ଚନ୍ଦ୍ରଯାନ-୨ କଥା ଦେଖ। ଚନ୍ଦ୍ରଯାନ-୨ର ବିଫଳତା ପରେ ମୁଁ ବି ବିବ୍ରତ ହୋଇପଡ଼ିଥିଲି। ତା’ପରେ ମୁଁ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ପ୍ରେରଣା ଦେଇଥିଲି। ବିଫଳତାରୁ ବି ଆମେ ସଫଳତା ନିମନ୍ତେ ଶିକ୍ଷା ଲାଭ କରି ପାରିବା।

କୋଲ୍‌କାତାରେ ଅନୁଷ୍ଠିତ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚ୍‌ର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଖେଳ ସମୟରେ ଅନୀଲ କୁମ୍ବଲେ ଆହତ ହୋଇ ମଧ୍ୟ ଖେଳିଥିଲେ ଏବଂ ଜିଣିଥିଲେ। କିଭଳି ଭାବେ ଅସୁବିଧାର ମୁକାବିଲା କରାଯାଇ ପାରିବ ତାହା ଆମ ଉପରେ ନିର୍ଭର କରେ।

ସେ ଆହୁରି କହିଲେ: ପରୀକ୍ଷା ମଧ୍ୟ ଜୀବନର ଅଂଶବିଶେଷ। ଶିକ୍ଷା ସମ୍ବନ୍ଧୀୟ ଯାତ୍ରାରେ ବୋର୍ଡ ପରୀକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ ଘଟଣା। କିନ୍ତୁ, କେବଳ ଉତ୍ତମ ଗ୍ରେଡ୍‌ ପାଇବା ଉପରେ ଧ୍ୟାନ ଦେବା ଅତ୍ୟାବଶ୍ୟକ ନୁହେଁ। ବୋର୍ଡ ପରୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବା ଉଚିତ, କିନ୍ତୁ କେବଳ ପରୀକ୍ଷା ଯେ ଜୀବନ, ତାହା ସର୍ବଦା ଠିକ୍‌ ନୁହେଁ।

କିଛି ଶିକ୍ଷା କରିବା କିଂବା କିଛି କରିବାକୁ ସାମଗ୍ରିକ ଶିକ୍ଷା ଆମକୁ ସୁଯୋଗ ଦିଏ। ଯଦି ଆମେ ଅନ୍ୟ କୌଣସି ବାହ୍ୟ-ପାଠ୍ୟକ୍ରମ କାର୍ଯ୍ୟକଳାପ କରିବା ନାହିଁ, ତେବେ ରୋବଟ୍‌ ପାଲଟି ଯିବା। ଆମକୁ ସମୟ କାଢ଼ି ବାହ୍ୟ-ପାଠ୍ୟକ୍ରମ କାର୍ଯ୍ୟକଳାପ କରିବାକୁ ପଡ଼ିବ। ପିଲାମାନଙ୍କର ବାହ୍ୟ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ କେତେକ ପିତାମାତା ଫେସନ୍‌ ବୋଲି ବିଚାର କରୁଛନ୍ତି।

ଗତ ଶତାବ୍ଦୀର ଶେଷ ଓ ଏ ଶତାବ୍ଦୀର ପ୍ରାରମ୍ଭିକ ବର୍ଷମାନଙ୍କରେ ଜୀବନ ପ୍ରଯୁକ୍ତିବିଦ୍ୟା-ଚାଳିତ ହୋଇଗଲାଣି। ଆମେ କାହିଁକି ପ୍ରଯୁକ୍ତିବିଦ୍ୟା ଚାଳିତ ହେବା। ଆମେ ପ୍ରଯୁକ୍ତିବିଦ୍ୟାକୁ କାମରେ ଲଗାଇବା କଥା ଚିନ୍ତା କରିବା ଉଚିତ। ପ୍ରଯୁକ୍ତିବିଦ୍ୟା ଆମର ସମୟ ଲୁଟ୍‌ କରିବାକୁ ସମର୍ଥନ ନ ହେବା ଉଚିତ, ବରଂ ଆମେ ପ୍ରଯୁକ୍ତିବିଦ୍ୟାକୁ ଅକ୍ତିଆର କରି ରଖିବା ଉଚିତ।

ଦୈନିକ ଘଣ୍ଟାଏ ଦୁଇଘଣ୍ଟା ପ୍ରଯୁକ୍ତିବିଦ୍ୟା କବଳରୁ ମୁକ୍ତ ରହି ପରିବାରର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି।

ସେ ପୁଣି କହିଲେ, ଭାରତ ସ୍ୱାଧୀନତା ଶତବାର୍ଷିକୀ ପାଳନ କରିବା ବେଳକୁ ଆଜିର ଛାତ୍ରଛାତ୍ରୀମାନେ ନେତୃସ୍ଥାନୀୟ ହୋଇ ସାରିଥିବେ।
ଅଭିଭାବକମାନଙ୍କୁ ସେ କହିଲେ, ଯଦି ଗୋଟାଏ ସ୍ପ୍ରିଙ୍ଗ୍‌କୁ ନିର୍ଦ୍ଦିଷ୍ଟ ସ୍ତର ଯାଏଁ ଟଣାଯାଏ ତାହା କାର୍ଯ୍ୟକ୍ଷମ ହେବ, କିନ୍ତୁ ତା’ଠାରୁ ଅଧିକ ଟାଣିଲେ ତାହା ତାର ହୋଇ ଅକାମି ହୋଇଯିବ। ସାରା ଜୀବନ ଉନ୍ନତି କରି ଚାଲିବାକୁ ପିଲାମାନଙ୍କୁ ସହାୟତା କରନ୍ତୁ, କିନ୍ତୁ ଚାପ ପକାନ୍ତୁ ନାହିଁ।

ଭଲ ଲାଗୁଥିବା ବେଳେ ପଢ଼ାପଢ଼ି କର ବୋଲି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ କହିଛନ୍ତି। ମୋର ବିଶ୍ୱାସ ଅଧ୍ୟୟନ ପାଇଁ ସକାଳ ଅତ୍ୟନ୍ତ ଭଲ ସମୟ। ସକାଳେ ମନ ଶାନ୍ତ ଥିବାରୁ, ପଢ଼ିବା ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କୁହାଯାଏ। କିନ୍ତୁ ମୋ ମତରେ, ତୁମକୁ ଯେତେବେଳେ ଭଲ ଲାଗୁଛି, ସେତେବେଳେ ପଢ଼।