ପାକିସ୍ଥାନ ସହିତ ଯଦି କେବେ ଆଲୋଚନା ହୁଏ, କେବଳ ପିଓକେ ଉପରେ ହେବ

ଦେଶ -ବିଦେଶ ବଡ ଖବର

ମାଙ୍ଗାଲୁରୁ : ଯଦି ଭବିଷ୍ୟତରେ ପାକିସ୍ତାନ ସହ କୌଣସି ପ୍ରକାରର କଥାବାର୍ତ୍ତା ହୁଏ ତେବେ ତାହା ପାକ-ଅଧିକୃତ କଶ୍ମୀର (ପିଓକେ) ଉପରେ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ମାଙ୍ଗାଲୁରୁଠାରେ ଅନୁଷ୍ଠିତ ଏକ ସମାରୋହରେ ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରର କାର୍ଯ୍ୟ ଶେଷ ହୋଇଯାଇଛି । ଏବେ କେବଳ ପିଓକେ କଥା ବାକି ଅଛି । ସଂସଦରେ ମଧ୍ୟ ପିଓକେ ଭାରତର ଅବିଚ୍ଛେଦ୍ୟ ଅଂଗ ବୋଲି ଏକ ସଂକଳ୍ପ ଗୃହୀତ ହୋଇସାରିଛି ।

ନାଗରିକତା ଆଇନ (ସିଏଏ) ଉପରେ ସେ କହିଛନ୍ତି ଯେ ଏହା ଏକ କେନ୍ଦ୍ରୀୟ ଆଇନ ଓ ଏହାକୁ ମାନିବାକୁ ରାଜ୍ୟ ସରକାରମାନେ ବାଧ୍ୟ । ସିଏଏ ଦ୍ୱାରା କୌଣସି ଧର୍ମସଂପ୍ରଦାୟର ଧାର୍ମିକ ଭାବନାକୁ ହାନି ପହଞ୍ଚାଯାଇନାହିଁ । କିନ୍ତୁ ଏହାର ବାହାନାରେ ଯଦି କୌଣସି ଗୋଷ୍ଠୀ ସରକାରଙ୍କୁ ସମସ୍ୟାରେ ପକାଏ ତାକୁ ଛଡ଼ାଯିବ ନାହିଁ । ଏନଆରସି ପ୍ରସଙ୍ଗରେ ସେ କହିଛନ୍ତି ଯେ ପ୍ରତ୍ୟେକ ଦେଶରେ ରହୁଥିବା ବେଆଇନ ଲୋକମାନଙ୍କୁ ଜାଣିବାର ଅଧିକାର ସଂପୃକ୍ତ ସରକାରଙ୍କର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ ।