ପାକିସ୍ତାନରେ ବିମାନ ଦୁର୍ଘଟଣା ୪୫ ଶବ ଉଦ୍ଧାର

ପାକିସ୍ତାନରେ ବିମାନ ଦୁର୍ଘଟଣା ୪୫ ଶବ ଉଦ୍ଧାର

ଦେଶ -ବିଦେଶ ବଡ ଖବର
#ପାକିସ୍ତାନରେ_ବିମାନ_ଦୁର୍ଘଟଣା_୪୫_ଶବ_ଉଦ୍ଧାର          କରାଚି : ପାକିସ୍ତାନର କରାଚୀ ସହରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଘଟି ୪୫ ଶବ ଉଦ୍ଧାର କରା ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବାର ଆଶଙ୍କା କରାଯାଉଛି।ବିମାନଟିରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ ୧୦୭ ଜଣ ଯାତ୍ରା କରୁଥିଲେ। ବିମାନଟି କରାଚି ସହରର ଯେଉଁ ମଡେଲ କଲୋନୀ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ସେଠାରେ ମଧ୍ୟ ଅନେକ ହତା ହତ ହୋଇଥିବାର ଜଣା ପଡିଛି। ଦୁର୍ଘଟଣାରେ ଅନେକ ଘରେ ଓ ରାସ୍ତାରେ ଛିଡା ହୋଇଥିବା ଗାଡିରେ ନିଆଁ ଲାଗିଯାଇଥିବା ଜଣାପଡିଛି।
ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ ଦୁର୍ଘଟଣା ସଂପର୍କରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ସଂପର୍କରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ସେ ଟୁଇଟ କରି କହିଛନ୍ତି ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।ଏହା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।ପାକିସ୍ତାନର ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା ଦୁର୍ଘଟଣା ସଂପର୍କରେ ଗଭୀର ଦୁଃଖ ବ୍ୟକ୍ତ କରିବା ସହିତ ସେନାକୁଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନକୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।କରୋନା ପାଇଁ ଲକଡାଉନ ପରେ ଗତ ଶନିବାର ଦିନ ଦେଶରେ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି।
ଘଟଣାରୁ ପ୍ରକାଶ ଯେ,ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ଅପରାହ୍ଣ ୧ଟା ସମୟରେ ଲାହୋର ବିମାନ ବନ୍ଦରରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା। ଲାହୋରରୁ କରାଚି ୧୦୨୦ କିଲୋମଟର ହୋଇଥିବା ବେଳେ ବିମାନରେ ୨ଘଣ୍ଟା ସମୟ ଲାଗିଥାଏ। ତେବେ, ୨ଟା ୪୫ ମିନିଟ ସମୟରେ ବିମାନଟି କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ପହଞ୍ଚିଯିିବା ପରେ ଅବତରଣ ପାଇଁ (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ) ଏଟିସିକୁ ଅନୁମତି ମାଗିଥିଲା। କିନ୍ତୁ, ସେ ସମୟରେ ଅବତରଣ ପାଇଁ କୌଣସି ରନ୍‌େଓ୍ଵ ଖାଲି ନଥିବାରୁ ଆକାଶରେ ଆଉ କିଛି ସମୟ ପାଇଁ ଚକ୍କର କାଟିବାକୁ ବିମାନର ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲା ଏଟିସି।

यूं आ गिरा प्लेन

ଏଟିସିର ନିର୍ଦ୍ଦେଶ ମୁତାବକ ବିମାନର ପାଇଲଟ ବିମାନଟିକୁ କରାଚି ସହର ଉପରକୁ ବୁଲାଇ ନେଇ ଆକାଶରେ ଚକ୍କର କାଟୁଥିବା ବେଳେ ବିମାନଟିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପରେ, ଜଳନ୍ତା ଅବସ୍ଥାରେ ବିମାନଟି କରାଚିର ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାରର ମଡେଲ କଲୋନିର ଜନବସତି ଉପରେ ପ୍ରଚଣ୍ଡ ଶବ୍ଦ କରି ଖସି ପଡ଼ିଥିଲା। ଜଳନ୍ତା ବିମାନଟି ଖଣ୍ଡ ଖଣ୍ଡ ହୋଇ ଜନବସତି ଉପରେ ଖସିପଡ଼ିବା ଫଳରେ ଜନବସତି ଅଞ୍ଚଳରେ ରହିଥିବା ଘରଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଓ ସେହି ଅଞ୍ଚଳର ବହୁ ସାଧାରଣ ଜନତା ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ପାକ୍‌ ସରକାର ପୂରା କରାଚିରେ ଇମର୍ଜେନ୍ସି ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ସେନାର କୁଇକ୍‌ ରେସ୍‌ପନ୍ସ ଟିମ୍‌କୁ ଘଟଣା ସ୍ଥଳକୁ ପଠାଇବା ସହ ସମସ୍ତ ଆହତଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କରାଚିର ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ୪୫ଟି ଶବ ଉଦ୍ଧାର କରାଯାଇଥିବାବେଳେ ସୌଭାଗ୍ୟବଶତଃ ୩ ଜଣ ଜୀବିତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ତେବେ ଏଯାବତ୍ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷଣା କରାଯାଇନାହିଁ।

ଦୁର୍ଘଟଣା ସଂପର୍କରେ ଜଣା ପଡିଥିବା ସର୍ବଶେଷ ଖବର ଅନୁଯାୟୀ ଦୁର୍ଘଟଣାର ଅବ୍ୟବହିତ ପୂର୍ବରୁ ବିମାନର କକ୍‌ପିଟ ମଧ୍ୟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି। ଅବତରଣର ଠିକ୍‌ ଅବ୍ୟବହିତ ପୂର୍ବରୁ ବିମାନଟିର ଦୁଇଟିଯାକ ଇଞ୍ଜିନ୍‌ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା। ଏଘଟଣା ଜାଣିବା ପରେ ବିମାନର ପାଇଲଟ କକ୍‌ପିଟ ଭିତରୁ ଅସହାୟ ଭିବେ ଚିତ୍କାର କରି ଉଠିଥିଲେ, ‘ମେଡେ.. ମେଡେ.. ମେଡେ’… (‘ମେଡେ’ ହେଉଛି ଏକ ସାଙ୍କେତିକ ଶବ୍ଦ। ବିମାନ ଆକାଶରେ ଉଡ଼ାଣ ଭରୁଥିବା କାଳରେ ଯେତେବେଳେ ଜରୁରୀକାଳିନ ଅବସ୍ଥା ସୃଷ୍ଟି ହୋଇଥାଏ ବା ବିମାନର ଇଞ୍ଜିନ ଅକାମୀ ହୋଇ ଯାଇଥାଏ; ସେତେବେଳେ ହିଁ ପାଇଲଟ ଏହି ଶବ୍ଦ ଉଚ୍ଚାରଣ ପୂର୍ବକ ଏଟିସିକୁ ସୂଚନା ଦେଇ ସହାୟତା ମାଗିଥାନ୍ତି)। ଆଉ, ଏଟିସି ଯେତେବେଳେ ଏହାକୁ ଶୁଣି ବିମାନ ଆଡ଼କୁ ଚାହିଁଲା, ସେତେବେଳେ ଦେଖିବାକୁ ପାଇଲା ଯେ ବିମାନଟି ଜଳନ୍ତା ଅବସ୍ଥାରେ ଖଣ୍ଡ ଖଣ୍ଡ ହୋଇ ତଳକୁ ଖସି ପଡ଼ୁଛି। ବିମାନ ବନ୍ଦରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଓ ଦୁର୍ଘଟଣାଗ୍ରସ୍ତ ପାଇଲଟଙ୍କ ମଧ୍ୟରେ ହୋଇଥିବା ଶେଷ ବାର୍ତ୍ତାଳାପ ରେକର୍ଡିଂରୁ ଏବିଷୟ ସ୍ପଷ୍ଟ ହୋଇଛି।