ନିର୍ଭୟା ମାମଲା – ଚତୁର୍ଥ ଦୋଷୀଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ନିର୍ଭୟା ସାମୁହିକ ବଳାତ୍କାର ଓ ହତ୍ୟା ମାମଲାରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଚତୁର୍ଥ ଦୋଷୀ ବ୍ୟକ୍ତିଠାରୁ ଜବାବ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଦୋଷୀମାନଙ୍କୁ ଫାଶି ଦେବା ପାଇଁ ସାନି ତାରିଖ ଘୋଷଣା କରିବା ଲାଗି ନିମ୍ନ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ସୁପ୍ରିମକୋର୍ଟ କର୍ତ୍ତୃପକ୍ଷମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଜଷ୍ଟିସ୍‍ ଆର୍‍. ଭାନୁମତି, ଅଶୋକ ଭୂଷଣ ଓ ଏସ୍‍. ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର କରିଥିବା ଆବେଦନ ବିଚାରଧୀନ ଥିବାରୁ ଦୋଷୀମାନଙ୍କୁ ଫାଶିଦେବା ଲାଗି ସାନି ତାରିଖ ଘୋଷଣା କରିବା ସକାଶେ ନିମ୍ନ ଅଦାଲତଙ୍କ ପାଇଁ ଏହା ଏକ ପ୍ରତିବନ୍ଧକ ହେବ ନାହିଁ।

ସଲିସିଟର ଜେନେରାଲ୍‍ ତୁଷାର ମେହେଟ୍ଟା କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଏହି ପରିସ୍ଥିତିର ସମାଜ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଧ୍ୟାନ ଦେବାକୁ କୋର୍ଟରେ ନିବଦେନ କରିଥିଲେ। ସଲିସିଟର ଜେନେରାଲ୍‍ କହିଥିଲେ, ଦୋଷୀମାନଙ୍କର ଆବେଦନ ୨୦୧୭ ମସିହାରେ ସର୍ବୋଚ୍ଚ ଅଦାଲତରେ ଖାରଜ ହେଇଯାଇଥିବା ସତ୍ତ୍ବେ ସେମାନଙ୍କୁ ଫାଶି ଦେବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ କୋର୍ଟ କହିଥିଲେ, ଦୋଷୀ ବ୍ୟକ୍ତିମାନଙ୍କୁ ନୋଟିସ୍‍ ଜାରି କରିବା ଦ୍ୱାରା ମାମଲାରେ ଆହୁରି ବିଳମ୍ବ ଘଟିବ କିନ୍ତୁ ପରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ କୋର୍ଟ ତାହା କରିଥିଲେ।