#ଦେଶରେ _ରୋନା_ଆକ୍ରାନ୍ତଙ୍କ_ସଂଖ୍ୟା ୨୮ ନୂଆଦିଲ୍ଲୀ : ଭାରତରେ ବଢ଼ୁଛି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଉଛନ୍ତି କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶରୁ ସଂକ୍ରମଣ ଆଣିଥିବା ଅନୁମାନ କରାଯାଉଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ ପରିସ୍ଥିତିର ସମୀକ୍ଷା କରିବା ସହ ଏଯାବତ୍ ଭାରତରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘୋଷଣା କରିଛନ୍ତି। ତେବେ ଏଥି ମଧ୍ୟରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା କେରଳର ରୋଗୀ ୩ ଜଣ ଅନ୍ତର୍ଭୁକ୍ତ ଥିବା କଥା ସେ ସୂଚନା ଦେଇଛନ୍ତି। ଚିନ୍ତାର ବିଷୟ ହେଲା ମଙ୍ଗଳବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬ ଥିବା ବେଳେ ବୁଧବାର ଏହା ୨୮କୁ ବୃଦ୍ଧି ପାଇଛି।
ବିଶ୍ବବ୍ୟାପୀ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହା ଭାରତରେ ପହଞ୍ଚିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଗତକାଲି ସୁଦ୍ଧା ୬ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ପାଖାପାଖି ୪ଗୁଣା ହୋଇଯାଇଛି। ଆଗ୍ରାର ଦୁଇ ଜଣ ଜୋତା ରପ୍ତାନିକାରୀଙ୍କ ପରିବାରର ୬ ଜଣ କରୋନା ସନ୍ଦିଗ୍ଧଙ୍କୁ ମଙ୍ଗଳବାର ଦିଲ୍ଲୀର ସଫ୍ଦରଜଙ୍ଗ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀରେ ଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ପୁଅ ନଏଡ଼ା ସ୍ଥିତ ଏକ ସ୍କୁଲ୍ରେ ଅଧ୍ୟୟନ କରୁଥିବାରୁ ଏବେ ଏହି ସ୍କୁଲ୍କୁ ବନ୍ଦ ରଖାଯାଇଛି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଯେଉଁ ସ୍କୁଲ୍ରେ ଅଧ୍ୟୟନ କରୁଥିଲା ସେହି ସ୍କୁଲ୍କୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଭାରତରେ କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଏବେ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ଦିଲ୍ଲୀରେ ଭାଇରସ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଫେବ୍ରୁଆରି ୨୫ରେ ଇଟାଲିରୁ ଫେରିଥିଲେ। ସେ ଏବେ ଆରଏମଏଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କଠାରେ ବି ଭାଇରସ୍ ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲ୍ ନିଆଯାଇଛି। ସେହିପରି ଭାରତ ଭ୍ରମଣରେ ଆସିଥିବା ୧୬ ଜଣ ଇଟାଲି ପର୍ଯ୍ୟଟକ ମଧ୍ୟ କରୋନା ଆକ୍ରାନ୍ତ ବୋଲି ସୂଚନା ରହିଛି। ଏମାନେ ପ୍ରଥମେ ରାଜସ୍ଥାନର ଜୟପୁର ଓ ପରେ ଆଗ୍ରା ଭ୍ରମଣରେ ଯାଇଥିଲେ।