ଦେଶବ୍ୟାପୀ ଏନଆରସି ଲାଗୁ ହେବାର କୌଣସି ନିଷ୍ପତ୍ତି ହୋଇନାହିଁ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ସାରା ଦେଶରେ ଜାତୀୟ ଭାରତୀୟ ନାଗରିକ ପଞ୍ଜିକା(ଏନଆରଆଇସି) ପ୍ରସ୍ତୁତି ଓ ଲାଗୁ ପାଇଁ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ମଙ୍ଗଳବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସରକାର ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରସ୍ତୁତି ଏବଂ ସଂଶୋଧନ ସଂକ୍ରାନ୍ତରେ ଆଜି ଲୋକସଭାରେ ଲିଖିତ ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, ଜନସଂଖ୍ୟା ପଞ୍ଜିକାରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଏବଂ ସେ ରହୁଥିବା ଗ୍ରାମ କିମ୍ବା ଗ୍ରାମାଞ୍ଚଳ, ୱାର୍ଡ ଅଥବା ସହରାଞ୍ଚଳର ସୂଚନା ରହିଥାଏ।
ପ୍ରଥମ ଥର ପାଇଁ ୨୦୧୦ରେ ଏନପିଆର ପ୍ରସ୍ତୁତ କରାଯାଇଥିଲା ଏବଂ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ନାଗରିକତା ଆଇନ ୧୯୫୫ ଅନ୍ତର୍ଗତ ପ୍ରସ୍ତୁତ

ହୋଇଥିବା ନାଗରିକତା ନିୟମ, ୨୦୦୩ (ନାଗରିକ ପଞ୍ଜିକରଣ ଏବଂ ଜାତୀୟ ପରିଚୟ ପତ୍ର ଜାରି କରିବା)ର ଧାରା -୩ ଅଧୀନ ଉପଧାରା(୪) ଅନୁଯାୟୀ କେନ୍ଦ୍ର ସରକାର ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ଏବଂ ସଂଶୋଧନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଆସାମକୁ ବାଦ ଦେଇ ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଏହି

କାର୍ଯ୍ୟ ସଂପାଦନ କରାଯିବ। ଏଥିରେ ସବୁ ଲୋକଙ୍କଠାରୁ ସେମାନେ ରହୁଥିବା ଗାଁ ଓ ସହରାଞ୍ଚଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।
ଏନପିଆର ସଂଶୋଧନ ସମୟରେ ବାଧ୍ୟତାମୂଳକ ଭାବେ ଦସ୍ତାବିଜ ସଂଗ୍ରହ କରାଯିବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ରାୟ କହିଥିଲେ ଯେ, ପ୍ରତ୍ୟେକ ପରିବାର ଓ

ବ୍ୟକ୍ତି ବିଶେଷଙ୍କ ଜନସାଂକ୍ଷିକ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ ତଥା ସଂଶୋଧିତ କରାଯିବ। ଏହି କାର୍ଯ୍ୟ ସମୟରେ କୌଣସି ଦସ୍ତାବିଜ ମଗାଯିବ ନାହିଁ, ସ୍ୱେଚ୍ଛାକୃତ ଭାବେ ଆଧାର ସଂଖ୍ୟା ସଂଗ୍ରହ କରାଯିବ। ଏହି କାର୍ଯ୍ୟ ସମୟରେ ଯେଉଁ ନାଗରିକଙ୍କ ନାଗରିକତା ସଂକ୍ରାନ୍ତରେ ସନ୍ଦେହ ସୃଷ୍ଟି ହେବ, ସେମାନଙ୍କର କୌଣସି ଯାଞ୍ଚ କରାଯିବ ନାହିଁ। ସୂଚନାଦାତାମାନେ ସେମାନଙ୍କ ନିଜସ୍ୱ ଜ୍ଞାନ ଓ ବିଶ୍ୱାସ ଆଧାରରେ ଏନପିଆର ସଂଶୋଧନ ପାଇଁ ସୂଚନା ଦେଇପାରିବେ। ଏନପିଆର ପ୍ରସ୍ତୁତି ସଂକ୍ରାନ୍ତରେ ରହିଥିବା ସମସ୍ୟା ଓ ଚିନ୍ତା ଦୂର କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରୁଛନ୍ତି।