ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#୨୦_ଲକ୍ଷ_କୋଟି_ଟଙ୍କାର_ଆର୍ଥିକ_ପ୍ୟାକେଜ_ଘୋଷଣା_କଲେ_ପ୍ରଧାନମନ୍ତ୍ରୀ        ନୂଆଦିଲ୍ଲୀ  :  ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଧ୍ୟାରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହାର ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଆଜି ଘୋଷିତ ଆର୍ଥିକ ପ୍ୟାକେଜର ମୋଟ ରାଶି ୨୦ ଲକ୍ଷ କୋଟି ଟଙ୍କାର । ଶ୍ରମିକ, ଚାଷୀ, ମଧ୍ୟ ବର୍ଗ, ବ୍ୟବସାୟୀ ଓ ଉଦ୍ୟମୀ ବର୍ଗ ସହ ଦେଶର ସମସ୍ତ ବର୍ଗଙ୍କ ଏହି ପ୍ୟାକେଜରେ ଧ୍ୟାନ ଦିଆ ଯାଇଛି ।ସେ କହିଛନ୍ତି ଯେ ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଭାରତର ଜିଡିପିର ପାଖା ପାଖି ଦଶ ପ୍ରତିଶତ । ଭାରତ ସମସ୍ତ କ୍ଷେତ୍ରକୁ ଶକ୍ତିଶାଳୀ କରି ଆତ୍ମ ନିର୍ଭର ହେବାରେ ସହଯୋଗ କରିବାକୁ ଏହି ପ୍ୟାକେଜ ଘୋଷଣା କରା ଯାଇଥିବା ସେ କହିଛନ୍ତି ।ସେ କହିଛନ୍ତି ଯେ ଆଗାମୀ କାଲି ଠାରୁ ପର୍ଯ୍ୟାୟ କ୍ରମେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ସମ୍ପର୍କରେ ସୂଚନା ଦେବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୬ ବର୍ଷରେ ଦେଶରେ ଯେଉଁ ଆର୍ଥିକ ସଂସ୍କାର ହୋଇଛି ତାହାର ସୁଫଳ ଏବେ ଦେଖିବାକୁ ମିଳିଛି ଏବଂ ଦେଶର ଦୃଢ଼ ଭାବରେ ଠିଆ ହେବାକୁ ସକ୍ଷମ ହୋଇଛି । ଆତ୍ମନିର୍ଭର ଭାରତ ଅଭିଯାନ ଦେଶର ବିକାଶ ଯାତ୍ରାକୁ ଏକ ନୂଆ ଗତି ଦେବ । ଆତ୍ମ ନିର୍ଭର ଭାରତକୁ ଏହି ପ୍ୟାକେଜରେ ଭୂମି, ଶ୍ରମିକ ଓ ଆଇନ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବ ।ଏହି ପ୍ୟାକେଜରେ ବହୁତ କିଛି ବ୍ୟବସ୍ଥା ରହିଛି ଓ  ଆଗାମୀ କିଛି ଦିନରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରାଯିବ ।

ଅନ୍ୟପକ୍ଷରେ ଦେଶକୁ ସ୍ବାବଲମ୍ବୀ କରିବା ନିମନ୍ତେ ‘ଆତ୍ମନିର୍ଭର ଭାରତ ଅଭିଯାନ’ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏଥିରେ ପୂର୍ବର ପ୍ୟାକେଜକୁ ମିଶାଇ ମୋଟ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହାଫଳରେ ଦେଶର ଅର୍ଥନୈତିକ ଗତି ଦୃତତର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ଅର୍ଥନୈତିକ ପ୍ୟାକେଜ ଦେଶର ମୋଟ ଅଭିବୃଦ୍ଧି ହାରର ୧୦% ଏବଂ ଏହାଦ୍ବାରା କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଲାଭବାନ ହେବ । ଏହି ପ୍ୟାକେଜରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଚାଷୀଙ୍କଠାରୁ ଶ୍ରମିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁତ୍ବ ଦିଆଯାଇଛି । ୨୦୨୦ ମସିହାରେ ଦେଶର ବିକାଶକୁ ଏହା ଗତିଶୀଳ କରିବ ଓ ଭବିଷ୍ୟତରେ କରୋନା ପରି ଯେତେବଡ଼ କଷ୍ଟକର ସମୟ ଆସିଲେ ବି ତାହା ସହ ଜୁଝିବାକୁ ଦେଶକୁ ବଳଶାଳୀ କରିବ  ବୋଲି ପ୍ରଦାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି କରୋନା ଆମକୁ ଆତ୍ମ ନିର୍ଭର ହେବା ପାଇଁ ସବୁ ଠାରୁ ବଡ ଶିକ୍ଷା ଦେଇଛି । ଆମକୁ ଭାରତକୁ ଆତ୍ମନିର୍ଭର କରିବାକୁ ହେବ । ଭାରତବାସୀ ଏହା କରି ପାରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କରୋନା କାରଣରୁ ଦେଶରେ ଚାଲିଥିବା ଲକ ଡାଉନକୁ ବଢାଇବା ସମ୍ପର୍କରେ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ ତେବେ ଏହି ଚତୁର୍ଥ ଲକ ଡାଉନ ସମ୍ପୂର୍ଣ ଭିନ୍ନ ରୁପରେ ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଗରିବ ଲୋକମାନଙ୍କୁ ପ୍ରଶଂସା କରିଛନ୍ତି । ​‌ସେ କହିଛନ୍ତି ଯେ ଦେଶର ଗରିବ ଭାଇ-ଭଉଣୀ ବର୍ତମାନ ସମୟରେ ଯେପରି ସଂଘର୍ଷ କରିଛନ୍ତି ତାହା ପ୍ରଶଂସନୀୟ । ଏହାକୁ ଦୃଷ୍ଟିରେ ରଖି ଗରିବ ଓ ଶ୍ରମିକଙ୍କ ନିମନ୍ତେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି ।

ମୋଦି କହିଛନ୍ତି ଯେ ଲକଡାଉନ ସମ୍ପର୍କରେ ବିଭିନ୍ନ ରାଜ୍ୟରୁ ମିଳିଥିବା ପରାମର୍ଶ ଆଧାରରେ ଆଗାମୀ ୧୮ ତାରିଖ ପୂର୍ବରୁ ଏହାର ଗାଇଡଲାଇନ ସମ୍ପର୍କରେ ଘୋଷଣା କରା ଯିବ । ସମସ୍ତେ ଏହି ଗାଇଡଲାଇନର ନିୟମକୁ ମାନିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ମାନଙ୍କୁ ସ୍ଥାନୀୟ ଉତ୍ପାଦ କିଣିବାକୁ ଆହ୍ୱାନ କରିଛନ୍ତି ।  ସେ କହିଛନ୍ତି କରୋନା ସମୟରେ ସ୍ଥାନୀୟ ଜିନିଷ ହିଁ ଆମକୁ ରକ୍ଷା କରି ପାରିଛି ।

ସେ କହିଛନ୍ତି ଯେ କରୋନା ଆମକୁ ସ୍ଥାନୀୟ ଜିନିଷ କିଣିବା ପାଇଁ ଶିକ୍ଷା ଦେଇଛି ।  ଆମେ କେବଳ ସ୍ଥାନୀୟ ଜିନିଷ ଯେ କିଣିବା ତା ନୁହେଁ ବରଂ ଏହାର ପ୍ରଚାର କରିବା ଆବଶ୍ୟକ । ସେ କହିଛନ୍ତି ଯେ ବର୍ତ୍ତମାନ ଗ୍ଲୋବାଲ ଉତ୍ପାଦ ମାନେ ମଧ୍ୟ କେବେ ସ୍ଥାନୀୟ ଥିଲେ । ମାତ୍ର ତାଙ୍କ ଦେଶର ଲୋକ ମାନେ ତାକୁ କିଣି ତା ଉପରେ ଗର୍ବ କରିବା କାରଣରୁ ସେମାନେ ଗ୍ଲୋବାଲ ହୋଇ ପାରିଛନ୍ତି । ତେଣୁ ଭାରତୀୟ ମାନଙ୍କୁ ମଧ୍ୟ ସେପରି କରିବାକୁ ହେବ ବୋଲି ସେ କହିଛନ୍ତି ।