ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

ଦେଶ -ବିଦେଶ ଅପରାଧ ବଡ ଖବର

#ପାଦ୍ରୀଙ୍କୁ_ବହିଷ୍କାର_କଲେ_ପୋପ୍‌   କୋଚି : ଦୁଷ୍କର୍ମ ଅଭିଯୁକ୍ତ କେରଳର ସାଇରୋ ମାଲାବାର ଚର୍ଚ୍ଚର ପାଦ୍ରୀ ରବିନ ଓ୍ଵାଡ଼ାକୁମଚେରୀଙ୍କୁ ପୋପ୍‌ ଫ୍ରାନସିସ୍‌ ପାଦ୍ରୀ ପଦରୁ ବହିଷ୍କାର (ଡିଫ୍ରକଡ୍‌) କରିଛନ୍ତି । ଏହାସହିତ ତାଙ୍କର ସବୁପ୍ରକାରର ଅଧିକାର କାଢିନିଆଯାଇଛି ।
କେରଳର ମାନାନଥାଓ୍ଵାଡ଼ି ଡାଇଓସେସ (ଖ୍ରୀଷ୍ଟିଆନ ଜିଲ୍ଲା)ର ଜଣେ ୧୬ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ସେ ଏବେ ଜେଲଦଣ୍ଡ ଭୋଗୁଛନ୍ତି ।
ଏକ ମିଶନାରୀ ସ୍କୁଲରେ ପଢାଉଥିବା ରବିନ ୨୦୧୬ରେ ନିଜର ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହୋଇ ଫେବ୍ରୁଆରୀ ୭, ୨୦୧୭ରେ ଏକ ଶିଶୁକୁ ଜନ୍ମ ଦେଇଥିଲା । ଏହି ଘଟଣା ସାମନାକୁ ଆସିବା ପରେ ତାଙ୍କୁ ପାଦ୍ରୀ ପଦରୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ଅଭିଯୋଗ ପ୍ରମାଣିତ ହୋଇ ସେ ଜେଲ ଯିବା ପରେ ଭାଟିକାନ ପକ୍ଷରୁ ତାଙ୍କୁ ପାଦ୍ରୀ ପଦରୁ ବହିଷ୍କାର କରାଯାଇଛି । ଏହା ସହିତ ଜଣେ ପାଦ୍ରୀ ଉପଭୋଗ କରୁଥିବା ସବୁ ଦାୟିତ୍ୱ ଓ ଅଧିକାର ତାଙ୍କଠାରୁ କାଢିନିଆଯାଇଛି । ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ଏପରି କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର କେବଳ ପୋପଙ୍କ ନିକଟରେ ହିଁ ରହିଛି ।
ଗତ ବର୍ଷ ଏକ ପକସୋ (ଯୌନ ଅପରାଧ କବଳରୁ ଶିଶୁମାନଙ୍କୁ ସୁରକ୍ଷା ଆଇନ) କୋର୍ଟ ରବିନ ଓ୍ଵାଡ଼ାକୁମଚେରୀଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ ।