ଦିଲ୍ଲୀ ହିଂସା ଉପରେ ଜବାବ ରଖିଲେ ଶାହ

ଦିଲ୍ଲୀ ହିଂସା ଉପରେ ଜବାବ ରଖିଲେ ଶାହ

ଦେଶ -ବିଦେଶ ବଡ ଖବର

#ଦିଲ୍ଲୀ_ହିଂସା_ଉପରେ_ଜବାବ_ରଖିଲେ_ଶାହ     ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର କ୍ରମାଗତ ଆକ୍ରମଣ ପରେ ଶେଷରେ ଲୋକସଭାରେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା ଉପରେ ଜବାବ ରଖିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ହିଂସା ପାଇଁ ସେ ବିରୋଧୀ ଓ ସୋଶାଲ ମିଡିଆରେ ଜାରି ରହିଥିବା ଗୁଜବକୁ ଦାୟୀ କରିଛନ୍ତି। ଏଥିସହ ଦିଲ୍ଲୀ ହିଂସାକୁ ରୋକିବାରେ ପୁଲିସ୍‌ ଗ୍ରହଣ କରିଥିବା ପଦକ୍ଷେପକୁ ଶାହ ପ୍ରଶଂସା କରିଛନ୍ତି। ଦିଲ୍ଲୀ ହିଂସାକୁ ଶାହ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଭାବେ ନାମିତ କରିଛନ୍ତି।

ଶାହ ଆଜି ଲୋକସଭାରେ କହିଛନ୍ତି, “ଉତ୍ତରପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାକୁ ଦିଲ୍ଲୀ ପୁଲିସ୍‌ ଯେଉଁଭଳି ନିୟନ୍ତ୍ରଣ କଲା, ସେଥିପାଇଁ ସମସ୍ତେ ଧନ୍ୟବାଦ ଦେବା କଥା। ଦିଲ୍ଲୀ ହିଂସା ଘଟଣାରେ ୭୦୦ ଏଫଆଇଆର ହୋଇଥିବା ବେଳେ ୨୬ଶହ ଲୋକଙ୍କୁ ଅଟକ ଓ ଗିରଫ କରାଯାଇଛି। ଏଥିସହ ସିସିଟିଭି ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ଭିଡିଓକୁ ତର୍ଜମା କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଉଛି।

ହିଂସା ରୋକିବାକୁ ଦିଲ୍ଲୀ ପୁଲିସ୍‌ କ’ଣ କରିଥିଲା ବୋଲି ପ୍ରଶ୍ନ ଉଠୁଛି। ପୁଲିସ୍ ଗ୍ରାଉଣ୍ଡରେ ସେତେବେଳେ ଥିଲା ଓ ଏବେ ଘଟଣାର ତଦନ୍ତ କରୁଛି। କିଛି ଦିନ ମଧ୍ୟରେ ପୁଲିସ୍ ରିପୋର୍ଟ ଦେବ। ଯଦି ହିଂସାକୁ ନେଇ ଲୋକଙ୍କ ପାଖରେ ଭିଡିଓ ରହିଛି, ତା’ହେଲେ ସେମାନେ ଏହାକୁ ଇମେଲ କରି ପୁଲିସ୍‌କୁ ଦେଇ ପାରିବେ।

ଆମେ ଶତାଧିକ ଭିଡିଓ ପାଇଛୁ ଓ ଏହାର ତର୍ଜମା କରୁଛୁ। ଏହା ଏକ ସଫଟୱେର ଏହାକୁ ବି କିଛି ଲୋକ କ’ଣ ଧର୍ମ ସହ ଯୋଡ଼ିବେ କି? ୨୫ ତାରିଖ ପରେ କୌଣସି ହିଂସା ଘଟିନାହିଁ। କିଛି ଲୋକ ଏହି ହିଂସାକୁ ରାଜନୀତିକ ରଙ୍ଗ ଦେବାକୁ ଚେଷ୍ଟା କରିଥିଲେ। ଦେଶରେ ଦଙ୍ଗା ଓ ହିଂସାରେ ଏଯାଏ ଯେତେ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ୭୬% ଲୋକ କଂଗ୍ରେସ ଅମଳରେ ମୃତ୍ୟୁ ବରଣ କରିଥିଲେ। ତେଣୁ ଆପଣ ଆମକୁ ଦୋଷ ଦେଇ ପାରିବେ ନାହିଁ। ଦିଲ୍ଲୀ ଦଙ୍ଗାକୁ ପୁଲିସ୍‌ ମାତ୍ର ୩୬ ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ କରିନେଇଥିଲା।

ଲୋକେ କହୁଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଶାନ୍ତି ପାଇଁ ନିବେଦନ କରି ନଥିଲେ। ହେଲେ ମୁଁ ଶାନ୍ତି ପାଇଁ ନିବେଦନ କରିଥିଲି। ୩୦୦୦ ଶିଖ୍‌ ଭାଇ ଭଉଣୀଙ୍କୁ ଜୀଅନ୍ତା ଜାଳି ଦିଆଗଲା। ହେଲେ ଆପଣମାନେ ଏହାକୁ ତାଚ୍ଛଲ୍ୟ କରି କହିଲେ ଯେ ଯେତେବେଳେ ଗୋଟିଏ ବଡ଼ ଗଛ ଉପୁଡ଼ି ପଡ଼ିବ ସେତେବେଳେ ପୃଥିବୀ ଦୋହଲି ଯିବ। ମୋ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଗଲା। ପ୍ରଶ୍ନ ଉଠାଇବା ଆପଣଙ୍କ ଅଧିକାର। ହେଲେ ବିନା ତଥ୍ୟରେ ପ୍ରଶ୍ନ ଉଠାଇବା ଭୁଲ।