ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ପଛରେ କମଲନାଥ ଓ ଦିଗବିଜୟଙ୍କ ଷଡଯନ୍ତ୍ର ନୁହେଁତ ?

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ପଛରେ କମଲନାଥ ଓ ଦିଗବିଜୟଙ୍କ ଷଡଯନ୍ତ୍ର ନାହିଁତ ?

ଦେଶ -ବିଦେଶ ବଡ ଖବର

#କମଲନାଥ_ଓ_ଦିଗବିଜୟଙ୍କ_ଷଡଯନ୍ତ୍ର_ନାହିଁତ      ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହେବିଓ୍ୱେଟ ତଥା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତମ ବ୍ୟକ୍ତି କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ କଂଗ୍ରେସ ନେତା ସିନ୍ଧିଆଙ୍କୁ ‘ଗଦ୍ଦାର’ ବୋଲି କହିଛି। ଯାହାଙ୍କୁ କଂଗ୍ରେସର ନେତା ‘ମହାରାଜା’ ବୋଲି ଦଳରେ ଥିବା ବେଳେ ସମ୍ୱୋଧନ କରୁଥିଲେ। କଂଗ୍ରେସ ରାଜନୀତିରେ ନିଜର ପତିଆରା ରଖିଥିବା ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ କିଛି ପ୍ରଶ୍ନ ଉଠିଛି। ଏହା ରାଜ୍ୟ କଂଗ୍ରେସର ଦୁଇ ପ୍ରମୁଖ ନେତା କମଲନାଥ ଏବଂ ଦିଗବିଜୟ ସିଂହଙ୍କ ଚକ୍ରବ୍ୟୁହୂ ନୁହଁ ତ? କାରଣ ଦଳରେ ସିନ୍ଧିଆଙ୍କୁ ଅଣଦେଖା କରି ଅସନ୍ତୋଷ କରିବା। ସିନ୍ଧିଆ ଦଳକୁ ବାଏ ବାଏ କହିବା ପରେ ଉଭୟ ଦିଗବିଜୟ ଏବଂ କମଲନଥଙ୍କ ଉତ୍ତରାଧିକାରୀଙ୍କ ପାଇଁ ବାଟ ପରିସ୍କାର ହୋଇନି ତ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସିନ୍ଧିଆ ଦଳ ଛାଡ଼ିବା ପଛରେ ୪ଟି କାରଣ ରହିଛି। ସିନ୍ଧିଆଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିଛି ହେଲେ ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ ଆସନ ମିଳିଲାନି। ଦ୍ୱିତୀୟରେ ରାଜ୍ୟ ପିସିସି ସଭାପତି ପଦବୀ ମଧ୍ୟ ମିଳିନଥିଲା। ତୃତୀୟରେ ରାଜ୍ୟସଭା ପାଇଁ ତାଙ୍କ ନାମକୁ ବିଚାର କରାନଯିବା ଚତୁର୍ଥରେ ଗୁନା ଲୋକସଭା ଆସନରୁ ହାରି ଯିବାପରେ ଦଳରେ ଅଣଦେଖା ହେବା।

କଂଗ୍ରେସର ବିଶ୍ୱସ୍ତ ସୂତ୍ର ଅନୁଯାୟୀ,ସିନ୍ଧିଆଙ୍କୁ ବିରୋଧ କରିବା ପଛରେ ରାଜ୍ୟ କଂଗ୍ରେସର ସୁଚିନ୍ତିତ ରଣନୀତି ଥିଲା। ଯଦି କମଲନାଥ ଏବଂ ଦିଗବିଜୟ ସିଂହ ଚାହିଁଥାନ୍ତେ ତାହେଲେ ସିନ୍ଧିଆଙ୍କୁ ମନେଇ ପାରିଥାନ୍ତେ। ଦିଗବିଜୟ ସିଂହ ରାଜ୍ୟସଭା ଆସନ ପାଇଁ ସିନ୍ଧିଆଙ୍କ ବାଟ ଓଗାଳିଥିଲେ। ଏମିତିକି ରାହୁଲ ଏବଂ ସୋନିଆଙ୍କୁ ସିନ୍ଧିଆ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଯୋଗ ଦିଆଯାଇନଥିଲା।

ରାଜ୍ୟରେ ସିନ୍ଧିଆଙ୍କ ପତିଆରାକୁ ସଙ୍କୁଚିତ କରିବା ପରେ ତାଙ୍କ ସମର୍ଥକ ବିଧାୟକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଦିଗବିଜୟ ସିଂହ ଏବଂ କମଲ ନାଥ ମଧ୍ୟ ଜାଣିଥିଲେ ଯେ ଯଦି ସିନ୍ଧିଆ ରାଜ୍ୟ ସଭାପତି ହୁଅନ୍ତି, ତେବେ ସେମାନଙ୍କୁ ସଂଗଠନର ଚାପରେ ସରକାର ଚଳାଇବାକୁ ପଡ଼ିବ। ତେଣୁ ସିନ୍ଧିଆଙ୍କୁ ଚାରିପଟୁ ଘେରି ଦୁର୍ବଳ କରିବାକୁ ଚେଷ୍ଟା କରାଯାଇଥିଲା।

ଏଭଳି ସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗ ଦେଇ ଦିଲ୍ଲୀ ପହଞ୍ଚିବାକୁ ପ୍ରୟାସ କରିଥିଲେ। ମାର୍ଚ୍ଚ ୨୬ରେ ମଧ୍ୟପ୍ରଦେଶର ମୋଟ ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ତିନୋଟି ଆସନରୁ କଂଗ୍ରେସ ଏବଂ ବିଜେପି ପ୍ରତ୍ୟେକ ଗୋଟିଏ ଆସନରେ ବିଜୟୀ ହେବା ସୁନିଶ୍ଚିତ। ହେଲେ ତୃତୀୟ ଆସନ ପାଇଁ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ରହିବ।

କଂଗ୍ରେସ ସୂତ୍ର ଅନୁଯାୟୀ, ସିନ୍ଧିଆଙ୍କୁ ପ୍ରଥମ ପସନ୍ଦ ସୁରକ୍ଷିତ ଆସନ ଦେବାକୁ ଦଳ ମନା କରିଦେଇଥିଲା। ଦ୍ୱିତୀୟ ଆସନରେ ଲଢ଼େଇ କଲେ ସୁରକ୍ଷିତ ନୁହେଁ ବୋଲି ସିନ୍ଧିଆ ଅନୁଭବ କରିଥିଲେ। ଏହାପରେ ଦଳ ତାଙ୍କୁ ଛତିଶଗଡରୁ ଟିକେଟ ଦେଇଥିଲା କିନ୍ତୁ ସିନ୍ଧିଆ ମନା କରି ଦେଇଥିଲେ।

ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ପୁଅ ନାକୁଲ ନାଥଙ୍କୁ ତାଙ୍କ ପାରମ୍ପାରିକ ଛିଣ୍ଡୱାରା ଆସନରୁ ଉତ୍ତରାଧିକାରୀ କରିଥିବାବେଳେ ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂ ବର୍ତ୍ତମାନର କମଲ ନାଥ ସରକାରରେ ମନ୍ତ୍ରୀ ରହିଛନ୍ତି। କମଲନାଥ ଏବଂ ଦିଗବିଜୟ ସିଂ କିଛି ବର୍ଷପରେ ରାଜନୀତିରୁ ଅବସର ନେବେ। ଏହାପରେ ସିନ୍ଧିଆ ଦଳରେ ରହିଲେ ସମସ୍ତ ରାସ୍ତା ତାଙ୍କ ପାଇଁ ଫିଟିଯିବ। ତେଣୁ ସିନ୍ଧିଆ ଦଳରେ ରହିଥିବାବେଳେ ତାଙ୍କୁ ଅଣଦେଖା କରାଯାଇଥିଲା ବୋଲି ସୂଚନା ରହିଛି।