ଜାନୁଆରି ୧୭ରେ ଜିସାଟ-୩୦ ଉପଗ୍ରହ ମହାକାଶକୁ ପଠାଇବ ଇସ୍ରୋ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୧୭ରେ ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହକୁ ଇସ୍ରୋ ପ୍ରେରଣ କରିବ। ଏହି ଉପଗ୍ରହ  ଦ୍ୱାରା ଦେଶର ସଞ୍ଚାର ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇଯିବ । ଏପରିକି ଏହା ସାହାଯ୍ୟରେ ଦେଶରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ଆସିବା ନେଇ ବାଟ ଫିଟିଯିବ। ଯେଉଁ ସ୍ଥାନକୁ ଏଯାଏଁ ମୋବାଇଲ ସେବା ପହଞ୍ଚି ପାରି ନାହିଁ, ସେଠାକୁ ମଧ୍ୟ ବେଶ ସହଜରେ ମୋବାଇଲ ନେଟୱର୍କ  ପହଞ୍ଚିପାରିବ ।

ଜାନୁଆରି ୧୭ରେ ୨ଟା ୩୫ ମିନିଟ୍‌ ସମୟରେ ଇସ୍ରୋ ପକ୍ଷରୁ ଜିସାଟ-୩୦ ଉପଗ୍ରହ ଛଡ଼ାଯିବ । ଏହା ପୂର୍ବରୁ ଥିବା ଇନସାଟ ଉପଗ୍ରହ ସ୍ଥାନରେ କାମ କରିବ । ଏବେ ଦେଶରେ ଜିସାଟ ସିରିଜର ୧୪ଟି ଉପଗ୍ରହ ମହାକାଶରେ ସକ୍ରିୟ ଅଛି, ଯାହାଦ୍ୱାରା ଦେଶର ସଞ୍ଚାର ବ୍ୟବସ୍ଥା ଜାରି ରହିଛି । ଜିସାଟ-୩୦ ଉପଗ୍ରହ ଜିସାଟ ସିରିଜର ସବୁଠୁ ଶକ୍ତିଶାଳୀ ଉପଗ୍ରହ। ୩୧୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ଜିସାଟ-୩୦ ଉପଗ୍ରହ ସଞ୍ଚାର ପ୍ରଣାଳୀ, ଟେଲିଭିଜନ ନେଟୱର୍କ, ପାଣିପାଗ ସୂଚନା, ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ଆଗୁଆ ସୂଚନା ଓ ଉଦ୍ଧାର କାର୍ଯ୍ୟରେ  ବଡ଼ ଭୂମିକାରେ ନଜର ଆସିଥାଏ ।

ଏହି ଉପଗ୍ରହ ପଠାଯିବା ହେବା ପରେ ଆଗାମୀ ୧୫ବର୍ଷ ଯାଏଁ ମହାକାଶରେ ଭାରତ ପାଇଁ କାମ କରିବ । ଏଥିରେ ଦୁଇଟି ସୋଲାର ପ୍ୟାନେଲ ଓ ବ୍ୟାଟେରି ରହିବ, ଯାହାଦ୍ୱାରା ସୌରଶକ୍ତି ଦ୍ୱାରା ଏହା ଚାଲିପାରିବ । ଏହାପୂର୍ବରୁ ସଞ୍ଚାର ବ୍ୟବସ୍ଥା ପାଇଁ କାମ କରୁଥିବା ଇନସାଟ ସାଟେଲାଇଟର ଅବଧି ମଧ୍ୟ ଶେଷ ହୋଇ ଆସୁଛି । ଏବେ ଦେଶରେ ଇଣ୍ଟରନେଟର ନୂଆ ଟେକ୍ନୋଲୋଜି ଆସୁଛି । ଅପ୍ଟଟକାଲ ଫାଇବର ତାର ବିଛାଯାଉଛି । ତେଣୁ ଏଭଳି ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସାଟେଲାଇଟର ଆବଶ୍ୟକତା ପଡୁଛି । ଆଉ ଏହି ଆବଶ୍ୟକତାକୁ ଜିସାଟ-୩୦ ପୂରା କରିପାରିବ ବୋଲି କୁହାଯାଉଛି।