ଜନ୍ମଦିନ କହି ୨୦ ଛୁଆଙ୍କୁ ଡାକି ବନ୍ଧକ ରଖିଲା ଦୁର୍ବୃତ୍ତ

ଦେଶ -ବିଦେଶ ବଡ ଖବର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଫରୁଖାବାଦ ମହମ୍ମଦାବାଦ କରସିଆ ଗାଁର ଜଣେ ଦୁର୍ବୃତ୍ତ ୨୦ ଛୁଆଙ୍କୁ ବନ୍ଧୁକ ମୁନରେ ଅଟକ ରଖିଛି। ଜନ୍ମଦିନ କହି ଏହି ଛୁଆଙ୍କୁ ସେ ନିଜ ଘରକୁ ଡାକିଥିଲା। ଏହାପରେ ସମସ୍ତଙ୍କୁ ନିଜ କବଜାରେ ଦୁର୍ବୃତ୍ତ ଜଣଙ୍କ ରଖିଛି। ଦୁର୍ବୃତ୍ତ ଜଣଙ୍କ ସୁବାଷ ଗୌତମ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ଏଟିଏସ କମାଣ୍ଡୋ ଏବଂ ପୁଲିସ ପହଞ୍ଚି ଘର ଚାରିପଟେ ଘେର ରହିଛନ୍ତି।

ଦୁର୍ବୃତ୍ତ ଜଣଙ୍କ ବିଧାୟକ ଏବଂ ଏସପିଙ୍କୁ ଗେଟ୍ ବାହାରେ ଡକାଇବା ପାଇଁ ଦାବି କରୁଥିବା ସୂଚନା ରହିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଙ୍ଗେସଙ୍ଗେ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଏହି ବୈଠକରେ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଡିଜିପି, ଏଡିଜିପି ଉପସ୍ଥିତ ରହିଛନ୍ତି। ଯୋଗୀ ଆଦିତ୍ୟନାଥ ଫାରୁଖାବାଦ ଜିଲ୍ଲାପାଳ ଏବଂ ଏସଏସପିଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି। ଦୁର୍ବୃତ୍ତ ସୁବାଷ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ରହିଥିଲା। ଏବେ ସେ ଜାମିନରେ ଆସିଛି ବୋଲି ଏଡିଜି ଅଧିକାରୀ ପିଭି ରାମଶସ୍ତ୍ରୀ କହିଛନ୍ତି।
ଦୁର୍ବୃତ୍ତ ସୁବାଷ ଗୌତମକୁ ବୁଝାଇବା ପାଇଁ ଗାଁର ବାଲୁ ଦୁବେ ଯାଇଥିଲେ। ହେଲେ ଗୌତମ ତାଙ୍କ ଉପରକୁ ସଙ୍ଗେସଙ୍ଗେ ଗୁଳି ଚଳାଇଥିଲା। ବାଲୁଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଏବେ ବାଲୁ ଦୁବେଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଦୁର୍ବୃତ୍ତ ସୁବାଷ ଜିଲ୍ଲାପାଳ ଏବଂ ବିଧାୟକଙ୍କ ସହ ଫୋନରେ କଥା ହେଉଛି, ହେଲେ ନିଜର ଦାବି ବାବଦରେ କିଛି କହୁନଥିବା ସୂଚନା ରହିଛି। ଏହାବାଦ ଶିଶୁଙ୍କୁ ମୁକୁଳାଇବାକୁ ଯାଇ ଦୁଇ ପୁଲିସ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇ ଆହତ ହୋଇଛନ୍ତି ବୋଲି ଡିଜିପି ଓପି ସିଂହ କହିଛନ୍ତି।