ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଓଡିଶା ଦେଶ -ବିଦେଶ ବଡ ଖବର ରାଜ୍ୟ

ନୂଆଦିଲ୍ଲୀ : ଚଳିତବର୍ଷ ‘ପ୍ରଗତି’ର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରି ଏହି ପ୍ରକଳ୍ପକୁ ଗତିଶୀଳ କରିବା ପାଇଁ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ସମୀକ୍ଷା ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନିଶ୍ଚିତରୂପେ ତ୍ୱରିତ କ୍ରିୟାନ୍ୱୟନର ରାସ୍ତାକୁ ନେବ ଏବଂ ପ୍ରକଳ୍ପ ଶୀଘ୍ର ସମୟରେ ପୂର୍ଣ୍ଣାଙ୍ଗ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ପଡି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପାଇଁ ‘ପ୍ରଗତି’ର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ଦେଶରେ ଦୀର୍ଘ ସମୟ ଧରି ପଡି ରହିଥିବା ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକକୁ ଖୋଦ୍‍ ପ୍ରଧାନମନ୍ତ୍ରୀ ତଦାରଖ କରୁଛନ୍ତି । ବର୍ଷ ୨୦୨୦ ପ୍ରଥମ ପ୍ରଗତି ବୈଠକରେ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ପ୍ରତି ଥିବା ପ୍ରାଥମିକତାକୁ ସୂଚାଇଛନ୍ତି। ଏହି ପ୍ରଗତିର ବୈଠକରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହଯୋଗ ଆଶା କରିଛନ୍ତି। ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ମିଶି ଓଡିଶାର ସାମଗ୍ରିକ ବିକାଶ ପାଇଁ ଏହି ପ୍ରକଳ୍ପକୁ ପୂରା କରିବେ ଏହା ପ୍ରଧାନମନ୍ତ୍ରୀଙ୍କର ଆଶା ରହିଛି।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ପରିକଳ୍ପନା ବହୁତ ପୁରୁଣା। କିନ୍ତୁ ଏହି ପ୍ରକଳ୍ପକୁ ପୂର୍ବରୁ ଦିଲ୍ଲୀ ସରକାରରେ ଦାୟିତ୍ୱରେ ଥିବା ସରକାର ଏବଂ ରାଜ୍ୟ ସରକାର ଯେତେ ମାତ୍ରାରେ ପ୍ରାଥମିକତା ଦେବା କଥା ଦେଇନଥିଲେ। ଏହି କାରଣରୁ ପ୍ରକଳ୍ପଟି ସ୍ଥଗିତ ରହିଥିଲା। ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୧୯୯୫ ମସିହାରୁ ସ୍ଥଗିତ ଥିବା ଏହି ପ୍ରକଳ୍ପ ଗତିଶୀଳ ହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ
ପ୍ରତିବଦ୍ଧ। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ସମ୍ପୂର୍ଣ୍ଣ ହେଲେ ଏହା ଅଞ୍ଚଳିକ କ୍ଷେତ୍ରରେ ଅର୍ଥନୀତିକୁ ବଳ ଦେବ। ଓଡିଶାର କଲ୍ୟାଣ ଓ ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଗତ ୨୫ ବର୍ଷ ତଥା ୧୯୯୫ ମସିହାରୁ ଅଟକି ରହିଥିଲା। ବିଶେଷ ଭାବରେ ମୋଦୀଙ୍କ ପୂର୍ବରୁ ଦିଲ୍ଲୀରେ ଦାୟିତ୍ୱରେ ଥିବା ସରକାର ଓ ରାଜ୍ୟ ସରକାରଙ୍କ ଅସହଯୋଗ ତଥା ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଏହି ପ୍ରକଳ୍ପ ସ୍ଥଗିତ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରଗତି ବୈଠକରେ ଓଡିଶା
ରେଳବାଇର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ। ଏହି ରିପୋର୍ଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ଷ୍ଟାଟସ ରିପୋର୍ଟରେ ସେ ବେଶ ପ୍ରଭାବିତ ହୋଇଥିଲେ। ୨୦୧୫ ମସିହାରେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏହି ପ୍ରକଳ୍ପ ଉପରେ ତାଙ୍କର ଦୃଷ୍ଟି ପଡିଥିଲା। ସେହି ସମୟରେ ମୋଦୀ ପିଏମଓର ଅଧିକାରୀ ମାନଙ୍କୁ କହିଥିଲେ ଯେ ଏହି ଅଞ୍ଚଳ ତଥା କେବିକେ ଅଞ୍ଚଳର ଲୋକମାନଙ୍କୁ ସରକାରୀ ସୁବିଧାର ଆବଶ୍ୟକତା ରହିଛି। ଏହା ଅନ୍ୟ ଅଞ୍ଚଳ ଅପେକ୍ଷା ବେଶ୍‍ ପଛୁଆ ରହିଛି। ଏହି ଅଞ୍ଚଳର ଲୋକଙ୍କୁ ରେଳ ସୁବିଧାର ନିତାନ୍ତ ଆବଶ୍ୟକତା ରହିଛି। ତେଣୁ ପ୍ରଧାନମନ୍ତ୍ରୀ ଏହି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ପ୍ରାଥମିକତା ଦେଇଥିଲେ। ଯଦି ୧୯୯୫-୨୦୦୦ ମସିହାରେ ଏହି ପ୍ରକଳ୍ପର କାମ ଶେଷ ହୋଇଥାନ୍ତା ତେବେ ଏଥିପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ କମ୍‍ ହୋଇଥାନ୍ତା। ପୂର୍ବ ଭାରତର ଅର୍ଥନୀତି ବଢିବା ସହ ଲୋକଙ୍କୁ ମଧ୍ୟ ଏହାର ସୁବିଧା ମିଳିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ରେଳ ଟ୍ରାକର ନିର୍ମାଣ କାର୍ଯ୍ୟ ଠିକ୍‍ ଗତିରେ ଚାଲୁଅଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏହି ରେଳ ପ୍ରକଳ୍ପର ଷ୍ଟାଟସରେ ଥିବା ଅନ୍ୟ କାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ ହେଉଅଛି। ଅପରପକ୍ଷରେ ଆଗାମୀ ୬ ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ପରିବେଶ ମଞ୍ଜୁରି ସମେତ ଅନ୍ୟ ସବୁ ପ୍ରକ୍ରିୟା ପୂରଣ ହେଲେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ସମ୍ଭାବନା ରହିଛି।
ସେହିପରି ଏହି ପ୍ରକଳ୍ପରେ ଜମି ଅଧିଗ୍ରହଣ ସମସ୍ୟାରେ ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡିଛି ଯେ ବୌଦ୍ଧ ଏବଂ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ସମସ୍ୟା ଦେଖାଯାଇଛି। ଏହି ପ୍ରକଳ୍ପ ପାଇଁ ଉପରୋକ୍ତ ୨ଟି ଜିଲ୍ଲାରେ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ଧ୍ୟାନ ଦେଉଥିବା ବେଳେ ଜଙ୍ଗଲ ଏବଂ ପରିବେଶ ମଞ୍ଜୁରି ପ୍ରତି ସରକାରଙ୍କୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରକଳ୍ପର ସମୀକ୍ଷା ପରେ ପରିବେଶ ଏବଂ ଜଙ୍ଗଲ ମଞ୍ଜୁରି ବିବାଦର ଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି।