କ୍ରୀଷ୍ଟିନା ମହାକାଶରେ ୧୧ ମାସ କାଟି ପୃଥିବୀ ଫେରିଲେ

ଦେଶ -ବିଦେଶ ବଡ ଖବର

ଆଲମାଟି: ଜଣେ ମହିଳା ମହାକାଶଚାରୀ ଭାବେ ସବୁଠାରୁ ଅଧିକ ଦିନ ମହାକାଶରେ ରହି ପୃଥିବୀପୃଷ୍ଠକୁ ଫେରିଆସିଛନ୍ତି କ୍ରୀଷ୍ଟିନା କୋଚ୍‌। ନାସାରେ କାର୍ଯ୍ୟରତ କ୍ରୀଷ୍ଟିନା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ପ୍ରାୟ ୧୧ ମାସ ରହିଥିଲେ। ଗତ ଗୁରୁବାର ସେ ପୃଥିବୀ ଆସିଛନ୍ତି।

ମହାକାଶରେ ସେ ୩୨୮ ଦିନ କାଟିବା ପରେ କାଜାକସ୍ତାନରେ ଗୁରୁବାର (0912 GMT) ସମୟରେ ଓହ୍ଲାଇଛନ୍ତି। ତାଙ୍କ ସହ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସିର ଲୁକା ପାର୍ମିଟାନୋ ଏବଂ ରୁଷ୍‌ର ମହାକାଶ ବିଜ୍ଞାନୀ ଆଲେକଜାଣ୍ଡର ସ୍କୋଥସୋଭ୍‌ ମଧ୍ୟ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି।ଲ୍ୟାଣ୍ଡିଂ ସାଇଟ୍‌ରେ ସୋୟୁଜ୍‌ରୁ ଓହ୍ଲାଇବା ବେଳକୁ ସେ ଆରାମରେ ବସିଥିବା ଏବଂ ହସୁଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ମାର୍ଚ୍ଚ ୧୪ରେ ମହାକାଶକୁ ଯାଇ ଏବେ ଫେରିବା ପରେ ସେ କହିଛନ୍ତି, ସେ ବହୁତ ଉତ୍ସାହିତ ଏବଂ ଖୁସି ଅଛନ୍ତି।

ଏହି ସଫଳତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେରିକା ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି। ସେ କହିଥିଲେ, “ପୃଥିବୀକୁ ସ୍ୱାଗତ। ମହାକାଶରେ ସବୁଠାରୁ ଅଧିକ ଦିନ ରହି ମହିଳା ମହାକାଶଚାରୀଙ୍କ ମଧ୍ୟରେ ରେକର୍ଡ କରିଥିବାରୁ ଅଭିନନ୍ଦନ। ତୁମେ ଯୁବତୀମାନଙ୍କ ପାଇଁ ପ୍ରେରଣା ଏବଂ ଆମେରିକା ପାଇଁ ଗର୍ବ ସାଜିଛ।”କାଜାକସ୍ଥାନର ବରଫ ଆଚ୍ଛାଦିତ ଏକ ଅନୁର୍ବର ଅଞ୍ଚଳରେ ଏହି ଯାନ କ୍ୟାପସୁଲ ଲ୍ୟାଣ୍ଡିଂ କରିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବେଶ ଉପଭୋଗ କରିଥିଲେ। ମିଚିଗାନ୍‌ ଜନ୍ମିତ କ୍ରୀଷ୍ଟିନା କୋଚ୍‌ ଡିସେମ୍ବର ୨୮ରେ ହିଁ ପୂର୍ବ ରେକର୍ଡ ଭାଙ୍ଗିଦେଇଥିଲେ। ଏହା ପୂର୍ବରୁ ନାସାର ମହାକାଶଚାରୀ ପେଗି ହ୍ୱିଷ୍ଟନ୍‌ ୨୦୧୬-୧୭ରେ ୨୮୯ ଦିନର ରେକର୍ଡ କରିଥିଲେ।