କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୬ ଲକ୍ଷ ୮୫ ହଜାର ଚାକିରି ଖାଲି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ :  କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୬ ଲକ୍ଷ ୮୫ ହଜାର ଚାକିରି ଖାଲି ପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଗ୍ରୁପ୍‌ ସିରେ ୫ ଲକ୍ଷ ୭୫ ହଜାର, ଗ୍ରୁପ୍‌ ବିରେ ୯୦ ହଜାର ଏବଂ ଗ୍ରୁପ୍‌ ଏରେ ୨୦ ହଜାର ପଦବୀ ପୂରଣ ହୋଇପାରିନି। ଏସବୁ ପଦବୀ ଶୀଘ୍ର ପୂରଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗକୁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁୟାରୀ ୨୧ରେ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ,ଦେଶର ଯୁବବର୍ଗଙ୍କ ମଧ୍ୟରେ ଚାକିରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ବିଭିନ୍ନ ଆର୍ଥିକ ନୀତିର ନକାରାତ୍ମକ ପ୍ରଭାବ ଯୋଗୁ ବହୁ ଲୋକ ଛଟେଇ ହୋଇଛନ୍ତି। ବେକାରୀ ସମସ୍ୟା ଯୋଗୁ କେତେକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ସର୍ବାଧିକ ଅଧିକ ବେକାର ଆତ୍ମହତ୍ୟା କରିଥିବା ଏଥିରେ ଦର୍ଶାଯାଇଛି। ଏହି ବର୍ଷରେ ମୋଟ ୨୬ ହଜାର ୮୫ ଜଣ ଲୋକ ବେକାରୀ ଯୋଗୁ ଆତ୍ମହତ୍ୟା କରିଥିଲେ। ଫଳରେ ପ୍ରତିଦିନ ହାରାହାରି ୩୫ ଜଣ ବେକାର ଏବଂ ବିଭିନ୍ନ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ୩୬ ଜଣ ଲୋକ ଆତ୍ମହତ୍ୟା କରିଥିବା ନେଇ ତଥ୍ୟ ପ୍ରକାଶ ପାଇଛି। ୨୦୧୮ରେ ୧୨ ହଜାର ୯ ଶହ ୩୬ ଜଣ ବେକାର ଏବଂ ବିଭିନ୍ନ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ୧୩ ହଜାର ଶହେ ୪୯ ଜଣ ଆତ୍ମହତ୍ୟା କରିଥିଲେ। ବେକାର ଏବଂ ବ୍ୟବସାୟ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା ସଂଖ୍ୟା ଚାଷୀଙ୍କ ଆତ୍ମହତ୍ୟା ତୁଳନାରେ ଯଥେଷ୍ଟ ଅଧିକ ଥିବା ଏହି ରିପୋର୍ଟରେ କୁହାଯାଇଛି। ୨୦୧୮ ବର୍ଷରେ ୧୦ ହଜାର ୩ଶହ ୪୯ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବେକାରୀ ସଂଖ୍ୟା ୬.୩୮ ପ୍ରତିଶତ ଥିବାବେଳେ ୨୦୧୯ ଫେବୃୟାରୀ, ଜୁନ୍‌ ଏବଂ ଅକ୍ଟୋବରରେ ଏହା ଯଥାକ୍ରମେ ୭.୨୦ ପ୍ରତିଶତ, ୭.୮୭ ପ୍ରତିଶତ ଏବଂ ୮.୧ ପ୍ରତିଶତ ଥିଲା। ସେହିପରି ୨୦୧୮ରେ ଗ୍ରାମୀଣ ଅଞ୍ଚଳ ତୁଳନାରେ ସହରରେ ଅଧିକ ବେକାର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସହରରେ ବେକାରୀଙ୍କ ସଂଖ୍ୟା ୮.୫ ପ୍ରତିଶତ ଥିବାବେଳେ ଦେଶର ଗ୍ରାମୀଣ ଅଞ୍ଚଳରେ ଏହା ୭.୯ ରହିଥିବା ଏଥିରେ ଦର୍ଶାଯାଇଛି।