କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

ଦେଶ -ବିଦେଶ ବଡ ଖବର

#କାର୍ଯ୍ୟକାରୀ_ହେଲା_ଖାଉଟି_ସୁରକ୍ଷା_ଆଇନ_୨୦୧୯        ନୂଆଦିଲ୍ଲୀ  :  ଖାଉଟି ସୁରକ୍ଷା ଆଇନ ୨୦୧୯ ଆଜିଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି । ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ । ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧିବିଧାନ ରହିଛି । ସେଥିମଧ୍ୟରେ ଖାଉଟି ସୁରକ୍ଷା ପରିଷଦ, ଖାଉଟି ବିବାଦ ସମାଧାନ ଆୟୋଗ ବା କମିସନ, ମଧ୍ୟସ୍ଥ ବ୍ୟବସ୍ଥା, ଉତ୍ପାଦ ବା ଜିନିଷପତ୍ର ପାଇଁ ଉତ୍ପାଦନକାରୀଙ୍କୁ ଉତରଦାୟୀ କରିବା ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ କୌଣସି ଭେଜାଲ ବା ବିଷାକ୍ତ ସାମଗ୍ରୀ ପ୍ରସ୍ତୁତି ଏବଂ ଏହାର ବିକ୍ରିବଟା କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ସେମାନେ ନୂଆ ଆଇନ ଅନୁସାରେ ସାମଗ୍ରୀର ଗୁଣ ଓ ମାନ ପାଇଁ ଉତରଦାୟୀ ରହିବେ ।

ଶ୍ରୀ ପାଶୱାନ କହିଛନ୍ତି ଯେ ଏହି ଆଇନ ଅନୁସାରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ବା ସିସିପିଏ ଗଠନ କରାଯିବ । ଏହି ପ୍ରାଧିକରଣ ଖାଉଟିଙ୍କ ଅଧିକାରର ସୁରକ୍ଷାକୁ କାର୍ଯ୍ୟକାରୀ କରିବା ସହ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦିଗରେ ଧ୍ୟାନ ଦେବ । ସିସିପିଏ ଖାଉଟି ସୁରକ୍ଷା ଅଧିକାରର ଉଲ୍ଲଂଘନ ମାମଲାର ତଦନ୍ତ କରିବ । ଆବଶ୍ୟକସ୍ଥଳେ ଏସବୁ ମାମଲାର ବିଚାର କରି ଅଭିଯୁକ୍ତ ପକ୍ଷଙ୍କ ବିରୋଧରେ ଦଣ୍ଡବିଧାନ କରିପାରିବ । ଦ୍ରବ୍ୟର ଗୁଣମାନ ନେଇ ଆପତ୍ତି ଅଭିଯୋଗ ମିଳିଲେ ତାହାର ତଦନ୍ତ କରି ସତ୍ୟାସତ୍ୟ ଭିତିରେ ଏହି ସଂସ୍ଥା ଅସୁରକ୍ଷିତ ସଂପୃକ୍ତ ସାମଗ୍ରୀ ବା ସେବାକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇପାରିବେ । ଯେଉଁମାନେ ଅସାଧୁ ବାଣିଜ୍ୟ କାରବାର କରୁଥିବେ କିମ୍ବା ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବେ ସେମାନଙ୍କ ବେପାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ମଧ୍ୟ ଏହି ସଂସ୍ଥାର ଅଧିକାର ରହିଛି । ଯେଉଁସବୁ ଉତ୍ପାଦକ ପ୍ରଚାରକ ଓ ପୃଷ୍ଠପୋଷକ ଅଥବା ପ୍ରକାଶକ ବିଭ୍ରାନ୍ତିକର ବିଜ୍ଞାପନ ଛାପୁଥିବେ ସେମାନଙ୍କ ଉପରେ ସିସିପିଏ ଜୋରିମାନା ଲଗାଇପାରିବେ । ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକରେ ଅସାଧୁ ବାଣିଜ୍ୟ କାରବାରର ନିରାକରଣ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ ଏବଂ ଇ-କମର୍ସରେ ଅସାଧୁ ବାଣିଜ୍ୟ କାରବାର ନିରାକରଣ ଆଇନ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ଖୁବ୍?ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

ସେ ଆହୁରି କହିଛନ୍ତି ଯେ ଏହି ଆଇନ ଅନୁସାରେ ପ୍ରତ୍ୟେକ ଇ-କମର୍ସ ସଂସ୍ଥାକୁ ନିଜର ରିଟର୍ଣ୍ଣ, ରିଫଣ୍ଡ, ଏକ୍ସଚେଞ୍ଜ, ୱାରେଂଟି ି, ଗ୍ୟାରେଂଟି , ଡେଲିଭରି, ସିପମେଂଟ, ପେମେଂଟର ମାଧ୍ୟମ, ଅଭିଯୋଗ ନିରାକରଣ ବ୍ୟବସ୍ଥା, ପେମେଂଟ ମେଥଡ, ପେମେଂଟ ମେଥଡର ନିରାପତ୍ତା, ଚାର୍ଜବ୍ୟାକ୍? ଅପ୍?ସନ ଆଦି ସଂପର୍କରେ ସୂଚନା ଦେବାକୁ ପଡିବ । କେଉଁ ଦେଶରୁ ବା କେଉଁ ସ୍ଥାନରୁ ସେମାନେ ସାମଗ୍ରୀ ଓ ସେବା କିଣୁଛନ୍ତି ସେ କଥା ମଧ୍ୟ ସେମାନଙ୍କୁ ଦର୍ଶାଇବାକୁ ହେବ । ଏହା ଫଳରେ ଜିନିଷ କିଣିବା ପୂର୍ବରୁ ଗ୍ରାହକ ନିଜ ପସନ୍ଦ ଅନୁସାରେ ତାହା କିଣିପାରିବେ । ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକୁ ଖାଉଟିଙ୍କ ଅଭିଯୋଗ ଉପରେ ରସିଦ ଦେବା ବାଧ୍ୟତାମୂଳକ ହେବ । ସେମାନେ ୪୮ ଘଂଟା ମଧ୍ୟରେ ଏହି ଅଭିଯୋଗର ପ୍ରାପ୍ତିସ୍ୱୀକାର କରିବେ ଏବଂ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ଓ ସେବା ପାଇଁ ପ୍ରାପ୍ତିସ୍ୱୀକାରର ଏକମାସ ମଧ୍ୟରେ ପ୍ରତିକାର ବ୍ୟବସ୍ଥା କରିବାକୁ ବାଧ୍ୟ । ନୂଆ ଆଇନରେ ସାମଗ୍ରୀର ଉତ୍ତରଦାୟିତ୍ୱ ବା ପ୍ରଡକ୍ଟ ଲାଏବଲିଟି ଭଳି ନୂଆ ନୀତି ସ୍ଥାନ ପାଇଛି । ତଦନୁସାରେ ସାମଗ୍ରୀ ବା ସେବା ତ୍ରୁଟିପୂର୍ଣ୍ଣ ହେଲେ ଏହାର ଉତ୍ପାଦକ, ସେବା ପ୍ରଦାନକାରୀ, ବିକ୍ରେତା ଓ ଏଥିସହ ସଂପୃକ୍ତ ପକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ ।

ମନ୍ତ୍ରୀ ଶ୍ରୀ ପାଶୱାନ ଆହୁରି କହିଛନ୍ତି ଯେ ନୂଆ ଆଇନରେ ଖାଉଟି ବିବାଦ ସମାଧାନ ପ୍ରକ୍ରିୟାକୁ ସରଳ କରାଯାଇଛି । ଏହା ଫଳରେ ଖାଉଟି ଆୟୋଗଗୁଡିକର କାର୍ଯ୍ୟ ପରିସର ଓ କ୍ଷମତା ବଢିଛି । ଏହି ବ୍ୟବସ୍ଥାରେ ରାଜ୍ୟ ଏବଂ ଜିଲା ଖାଉଟି ଆୟୋଗଗୁଡିକୁ ନିଜ ନିର୍ଦ୍ଦେଶର ସମୀକ୍ଷା କରିବା ପାଇଁ ଅଧିକାର ପାଇଛନ୍ତି । ଜଣେ ଖାଉଟି ମଧ୍ୟ ଏହି ଆୟୋଗକୁ ଇଲେକ୍?ଟ୍ରୋନିକ ବ୍ୟବସ୍ଥାରେ ନିଜର ଅଭିଯୋଗ ପଠାଇପାରିବେ । ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ହୋଇପାରିବ । ଅଭିଯୋଗ ଦାଖଲର ୨୧ ଦିନ ମଧ୍ୟରେ ଏହାର ଗ୍ରହଣଯୋଗ୍ୟତା ନେଇ କୌଣସି ନିଷ୍ପତ୍ତି ହୋଇନପାରିଲେ ତାହାକୁ ଆୟୋଗ ଗ୍ରହଣ କରିଛନ୍ତି ବୋଲି ବିଚାର କରାଯିବ ।