କରୋନା: ସଂଶୋଧିତ ଯାତ୍ରା ସତର୍କତା ଜାରି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇସରେ ଭାରତ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଏହି ଭୂତାଣୁରେ ଏଯାଏ କରେଳରେ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାର ମୁକାବିଲା ପାଇଁ ଭାରତ ସରକାର ଏବେଠାରୁ ପ୍ରସ୍ତୁତ ରହିଥିବା କହିଛନ୍ତି। ଆଜି ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ସଂଶୋଧିତ ଯାତ୍ରା ସତର୍କତା ଜାରି କରାଯାଇଛି।କରୋନା ଭୂତାଣୁ ମୁକାବିଲା ସଂକ୍ରାନ୍ତରେ ଗତକାଲି ଜାରି କରାଯାଇଥିବା ସତର୍କ ସୂଚନାକୁ ପୁଣିଥରେ ସଂଶୋଧନ କରାଯାଇ ସରକାର ଜାରି କରିଛନ୍ତି।  ସଂଶୋଧିତ ଚେତାବନୀରେ ଯାତ୍ରୀମାନଙ୍କୁ ଚାଇନା ଯାତ୍ରା ନ କରିବା ଲାଗି ସତର୍କ କରି ଦିଆଯାଇଛି। ଯେଉଁମାନେ ୧୫ ଜାନୁଆରୀ, ୨୦୨୦ ପରେ ଚାଇନା ଯାତ୍ରା କରିଛନ୍ତି କିମ୍ବା ଚାଇନାରୁ ଫେରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ପୃଥକ ଭାବେ ରଖାଯିବା ଦରକାର ବୋଲି କୁହାଯାଇଛି।

ଏଥିସହ ଚାଇନା ପାସପୋର୍ଟଧାରୀଙ୍କ ପାଇଁ ଇ-ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ଚାଇନା ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ଅସ୍ଥାୟୀ ଭାବେ ବୈଧ ହେବ ନାହିଁ ବୋଲି କୁହାଯାଇଛି।

ଏଥିସହ ଚାଇନାରୁ ଫିଜିକାଲ ଭିସା ପାଇଁ ଅନଲାଇନ ଆବେଦନ ଦାଖଲ ସୁବିଧା ମଧ୍ୟ ସ୍ଥଗିତ ରଖାଯାଇଛି। ଭାରତ ଗସ୍ତ କରିବା ଜରୁରି ହୋଇଥିଲେ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏବଂ ଶାଙ୍ଘାଇ ଓ ଗୁଆଙ୍ଗଝୋଉ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଯୋଗାଯୋଗ କରିବା ଲାଗି ଲୋକମାନଙ୍କୁ କୁହାଯାଇଛି ।