ବିଦେଶ ଫେରନ୍ତା ୫୪୪ ଙ୍କ କ୍ୱାରେଣ୍ଟାଇନ ଅବଧି ସରିଲା

କରୋନା ସଂକ୍ରମିତ ମାମଲାରେ ଆମେରିକା ଶୀର୍ଷରେ, ମୃତ୍ୟୁ ସଂଖ୍ୟା ଇଟାଲୀରେ ସର୍ବାଧିକ

ଦେଶ -ବିଦେଶ ବଡ ଖବର

#କରୋନା_ସଂକ୍ରମିତ_ମାମଲାରେ_ଆମେରିକା_ଶୀର୍ଷରେ     ଲସଏଞ୍ଜଲେସ  : ନ୍ୟୁୟର୍କ, ନ୍ୟୁଜର୍ସି, କାର୍ଲିଫର୍ଣ୍ଣିୟା ଓ ଲୁଜିୟାନା ସହିତ ଆମେରିକାରେ କରୋନା ଭାଇରସ କାରଣରୁ ସ୍ଥିତି ଦୟନୀୟ ହେବାରେ ଲାଗିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୫ ହଜାର ନୂତନ ଘଟଣା ସାମ୍ନାକୁ ଆସିଛି, ଯାହା ଦୁନିଆରେ ଯେ କୌଣସି ଦେଶ ତୂଳନାରେ ସର୍ବାଧିକ ମାମଲା । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟି ୮୨,୪୦୦ ଛୁଇଁଲାଣି । ଚୀନରେ କରୋନା ରୋଗୀ ସଂଖ୍ୟା ୮୧,୭୦୦ ରହିଛି । ୟୁରୋପରେ କରୋନା  ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସମଗ୍ର ବିଶ୍ବରେ  ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାରକୁ ବୃଦ୍ଧି ଘଟିଥିବା ବେଳେ ୨୪ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି । ଏଥିରୁ ୧ ଲକ୍ଷ ୨୩ ହଜାର ୩୮୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ମାତ୍ର ୨୦ ହଜାର ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।

ଇଟାଲୀରେ ଗତ ୨୪ ଘଣ୍ଟାରେ ୬୨୦୩ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୭୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଇଟାଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି । ସ୍ପେନରେ ଗୋଟିଏ ଦିନରେ ୭୧୮ ଜଣଙ୍କ ପ୍ରାଣହାନୀ ଘଟିବା ୟୁରୋପୀୟ ନେତାଙ୍କ ନିଦ ହଜାଇ ଦେଇଛି । ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କରିଛି । ୟୁରୋପରେ ବେଲଜିୟମ ଓ ନେଦରଲାଣ୍ଡର ସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଉଛି । ବେଲଜିୟମରେ ଗୋଟିଏ ଦିନରେ ୪୨ ଓ ନେଦରଲାଣ୍ଡରେ ୭୮ ଜଣଙ୍କ ମୃତ୍ୟୁ ଘଟିଛି । ଫ୍ରାନ୍ସରେ ଗତ ୨୪ ଘଂଟାରେ ୩୬୫ ଓ ଇଂଲଣ୍ଡରେ ୧୧୫ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଜର୍ମାନୀ ଓ ସ୍ୱିଜରାଲଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ୟୁରୋପ ବିତଶାଳୀ ଦେଶ ଜର୍ମାନୀରେ କରୋନା ରୋଗୀଙ୍କ ସଂଖ୍ୟା ୬ ହଜାରରୁ ଅଧିକ ରହିଛି ଏବଂ ୬୧ ଜଣଙ୍କ ମୃତ୍ୟୁ ଘଟିଛି । ଇଂଲଣ୍ଡରେ ଲକଡାଉନ ସତ୍ୱେ ବି ଦୁଇ ହଜାରରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ୫୭୮ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଇରାନରେ ଦୁଇ ହଜାର ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୭କୁ ବୃଦ୍ଧି ଘଟିଛି । ମିଡିଲ୍ ଇଷ୍ଟ ଅନ୍ୟ ବଡ ଦେଶ ମଧ୍ୟରୁ ସାଉଦି ଆରବ, ଇରାକ, କତାର, କୁଏତ, ବାହାରିନ, ଜୋର୍ଡାନ ଆଦି ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ପୂର୍ବ ଏସିଆରେ ଦକ୍ଷିଣ କୋରିଆରେ ୧୦୪ ନୂତନ ମାମଲା ସହିତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଜାପାନରେ
୧୩ ଓ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ଘଟିଥିବା ବେଳେ ପାକିସ୍ତାନରେ ୯ ଜଣଙ୍କ ପ୍ରାଣହାନୀ ଘଟିଛି । ଆଫ୍ରିକା ଓ ଲାଟିନ ଆମେରିକା ଦେଶରେ କରୋନାର ପ୍ରକୋପ ସଂପ୍ରତି ପ୍ରଥମ ପର୍ଯ୍ୟାୟରେ ରହିଛି ।

ଆମେରିକାରେ ୧୫,୪୬୧ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୧୮୨ ଜଣଙ୍କ ମୃତ୍ୟୁ ସହିତ  ମୃତକଙ୍କ ସଂଖ୍ୟା ୧୨୦୯ ହୋଇଛି । ଆମେରିକାରେ ଦୁଇ ହଜାରରୁ ଅଧିକ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କରୋନାରେ ସୁସ୍ଥ ହୋଇ ଘରକୁ ଫେରିବା ସଂଖ୍ୟା ବହୁତ କମ୍ ହେଉଥିବାରୁ ଏହା ଟ୍ରମ୍ପ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।