୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ-ଡ଼ାଲି

କରୋନା ସଂକ୍ରମଣକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#କରୋନା_ସଂକ୍ରମଣକୁ_ହାଲୁକା_ଭାବରେ_ଗ୍ରହଣ_କରିବା_ଉଚିତ_ନୁହେଁ              ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କୁ ନେଇ ମଙ୍ଗଳବାର ଷଷ୍ଠ ଥର ପାଇଁ ଦେଶବାସୀଙ୍କୁ ଉଦବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଦେଶରେ ମଙ୍ଗଳବାର ମଧ୍ୟରାତ୍ର ଠାରୁ ଅନଲକ-୨ ଲାଗୁ ହୋଇଥିବା ବେଳେ ଆଗକୁ ଅଧିକ ସତର୍କ ରହିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ | ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କରୋନା ସଂକ୍ରମଣକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ ।  ସୋମବାର ସନ୍ଧ୍ୟାରେ ଅନ୍‌ଲକ୍-୨ର ମାର୍ଗଦର୍ଶିକା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଉଛନ୍ତି।ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ଯେ ଯଦି ଆମେ ସାରା ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହାର ବିଚାରକୁ ନେବା ତେବେ ଭାରତରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଠିକ ସମୟରେ ଲକ ଡାଉନ ଭଳି ପଦକ୍ଷେପ ଯୋଗୁ ଦେଶରେ ବହୁ ଅମୁଲ୍ୟ ଜୀବନ ରକ୍ଷା କରାଯାଇପାରିଛି ବୋଲି ମୋଦୀ କହିଛନ୍ତି।ସେ କହିଛନ୍ତି ଯେ ଆମେ ଲକ ଡାଉନ କାଳରେ ସମସ୍ତ ନିୟମ ଅତ୍ୟନ୍ତ ଗମ୍ଭୀରତାର ସହ ପାଳନ କଲେ ଏବଂ ପୁଣି ଥରେ ଆମକୁ ସେହିଭଳି ସାହସ ଓ ଦୃଢ଼ତା ଦେଖାଇବାକୁ ପଡିବ। ସେ କହିଛନ୍ତି ଯେ ଦେଶରେ ଲକ ଡାଉନ ଶେଷ ହେବା ବେଳକୁ ଜନସାଧାରଣ ପୂର୍ବ ଭଳି ସତର୍କତା ଅବଲମ୍ବନ କରୁନାହାନ୍ତି, ଅନଲକ ୧ ଆରମ୍ଭ ହେବା ବେଳକୁ ଦେଶରେ ବ୍ୟକ୍ତିଗତ ଓ ସାମାଜିକ ବ୍ୟବହାରରେ ବହୁତ ପରିବର୍ତ୍ତନ ଦେଖାଦେଇଛି ଏବଂ ଲୋକମାନେ ବେଳକୁ ବେଳ ଅଧିକ ସାବଧାନ ହେଉନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଆମେ ଯେଭଳି ମାସ୍କର ବ୍ୟବହାର ଓ ଦିନକୁ ଅନେକ ଥର ହାତ ଧୋଇବା ଏବଂ ସାମାଜିକ ଦୂରତା ମାନିବା ଭଳି କାର୍ଯ୍ୟ ଅତି ସତର୍କତାର ସହ କରୁଥିଲେ, ଏବେ ସେହି ସତର୍କତାକୁ ଦୋହରାଇବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ଆମେ ହାଲକା ଭାବରେ ନେବା ଉଚିତ ନୁହେଁ, ଆମକୁ ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ, ବିଶେଷକରି କଣ୍ଟେନମେଣ୍ଟ ଜୋନରେ ଅଧିକ ଧ୍ୟାନ ଦେବାକୁ ପଡିବ। ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ନିୟମ ପାଳନ ପାଇଁ ପ୍ରବର୍ତ୍ତାଇବାକୁ ପଡିବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଲକ ଡାଉନ କାଳରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଗରିବ ଶ୍ରେଣୀର ଲୋକଙ୍କ ଅସୁବିଧା ଦୂର କରିବା। କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ଯେଭଳି କୌଣସି ଗରିବ ଭାଇ ଭଉଣୀ ଓପାସ ନ ରହନ୍ତି।ସେ କହିଛନ୍ତି, ଦେଶ ହେଉ କି ନାଗରିକ, ଉଚିତ ସମୟରେ ନିଷ୍ପତ୍ତି ନେଇପାରିଲେ, ସମ୍ବେଦନଶୀଳ ହୋଇପାରିଲେ ଆମେ ଯେ କୌଣସି ସଙ୍କଟର ମୁକାବିଲା କରିପାରିବା। ତେଣୁ ଲକ ଡାଉନ ଆରମ୍ଭ ହେବା ମାତ୍ରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ତିନି ମାସ ମଧ୍ୟରେ ୨୦ କୋଟି ଗରିବ ପରିବାରର ଜନ ଧନ ଆକାଉଣ୍ଟରେ ସିଧାସଳଖ ୩୧ ହଜାର କୋଟି ଟଙ୍କା ଜମା କରାଯାଇଛି। ଏହି ସମୟ ମଧ୍ୟରେ ନଅ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮ ହଜାର କୋଟି ଜମା କରାଯାଇଛି। ଏହା ସହିତ ଦେଶରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ ଚାଲିଛି। ଯେଉଁମାନେ ନିଜ ପରିବାର ପାଇଁ ଗାଁ ଛାଡି ଅନ୍ୟତ୍ର ଯାଉଛନ୍ତି, ସେମାନେ ଏହାର ଲାଭ ପାଇବେ।

ମୋଦୀ କହିଛନ୍ତି, ବର୍ଷା ଋତୁରେ ଏବଂ ପରେ ମୁଖ୍ୟତ କୃଷି କ୍ଷେତ୍ରରେ ଆମର ଅଧିକ କାମ ରହିଛି। ସେହି ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ସାମାନ୍ୟ ମନ୍ଥରତା ରହିବ। ଏହି ସମୟରେ ବିଭିନ୍ନ ପର୍ବଗୁଡ଼ିକ ମଧ୍ୟ ଆରମ୍ଭ ହେବ। ଏହି ସମୟରେ ଆବଶ୍ୟକତା ଏବଂ ଖର୍ଚ୍ଚ ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି। ଏହି ସବୁ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବେ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ଏ ନେଇ କହିଛନ୍ତି ଯେ ସରକାର ଆମେରିକାର ମୋଟ ଜନସଂଖ୍ୟାର ଅଢେଇ ଗୁଣ ଅଧିକ ଲୋକ ଏବଂ ବ୍ରିଟେନର ଜନସଂଖ୍ୟା ଠାରୁ ୧୨ ଗୁଣ ଓ ୟୁରୋପୀୟ ୟୁନିଅନର ଦୁଇଗୁଣରୁ ଅଧିକ ଲୋକଙ୍କୁ ମାଗଣା ଶସ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କରୋନା ସଂକ୍ରମଣ ସହିତ ଲଢେଇ ଚାଲିଥିବା ବେଳେ ଭାରତରେ ୮୦ କୋଟିରୁ ଅଧିକ ଲୋକଙ୍କୁ ତିନି ମାସର ରାସନ ଅର୍ଥାତ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପାଞ୍ଚ କିଲୋଗ୍ରାମ ଗହମ କିମ୍ବା ଚାଉଳ ମାଗଣାରେ ଦିଆଯାଇଛି।