କରୋନା ମୁକାବିଲା ପଦକ୍ଷେପ , ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ମୁକାବିଲା ପଦକ୍ଷେପ , ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

 #ପ୍ରସ୍ତୁତି_ସମୀକ୍ଷା_କଲେ_କେନ୍ଦ୍ର_ସ୍ୱାସ୍ଥ୍ୟମନ୍ତ୍ରୀ   ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୁଧବାର ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସଫଦରଜଙ୍ଗ ହସ୍ପିଟାଲ, ଡ. ଆରଏମଏଲ ହସ୍ପପିଟାଲ ତଥା ଏମ୍ସ ଭଳି କେନ୍ଦ୍ର ସରକାରଙ୍କ ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ଓ ନିର୍ଦ୍ଦେଶକଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
ସର୍ବପ୍ରଥମେ କେନ୍ଦ୍ର ଏବଂ ରାଜ୍ୟସ୍ତରର ବିଭିନ୍ନ ମନ୍ତ୍ରଣାଳୟ ସହିତ ବିଦେଶରେ ଥିବା ଭାରତୀୟ ଦୂତାବାସ ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରାଯାଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କରୋନା ଭୂତାଣୁ (କୋଭିଡ-୧୯)ର ନିୟନ୍ତ୍ରଣ ଲାଗି ଅତ୍ୟନ୍ତ୍ର ସତର୍କତାମୂଳକ ପଦକ୍ଷେପ
ଗ୍ରହଣ କରିବା ଏବଂ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଭାବୀ ଢଙ୍ଗରେ ଠାବ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଲାଗି ରାଜ୍ୟଗୁଡ଼ିକୁ ପ୍ରଶଂସା କରିଥିଲେ ।
ଡାକ୍ତରଖାନାରେ ଉପଯୁକ୍ତ ବ୍ୟବସ୍ଥା ଯେପରିକି ଓପିଡି ବ୍ଲକ ବ୍ୟବସ୍ଥା, ଟେଷ୍ଟିଂ କିଟ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଔଷଧ ଏବଂ ପର୍ଯ୍ୟାପ୍ତ ପରିମାଣରେ ଆଇସୋଲେସନ ୱାର୍ଡ ବ୍ୟବସ୍ଥା ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ । ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷା ସାମଗ୍ରୀ ଏବଂ ଉପକରଣ ଯୋଗାଇ ଦେବା ଲାଗି ସେ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଡ. ହର୍ଷବର୍ଦ୍ଧନଙ୍କୁ ଏହି ସୂଚନା ଦିଆଯାଇଥିଲା ଯେ ପର୍ଯ୍ୟାପ୍ତ ସଂଖ୍ୟାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ମାସ୍କ, ସାନିଟାଇଜର, ଥର୍ମୋମିଟର ଆଦି କ୍ରୟ କରାଯାଉଛି ଏବଂ ଚାହିଦା ମୁତାବକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯୋଗାଇ ଦିଆଯାଉଛି । ଏଥିସହିତ ଡ. ହର୍ଷବର୍ଦ୍ଧନଙ୍କୁ ଏହି ସୂଚନା ମଧ୍ୟ ଦିଆଯାଇଥିଲା ଯେ ଭବିଷ୍ୟତରେ କୌଣସି ପ୍ରକାରର ଚାହିଦା ପୂରଣ କରିବା ଲାଗି ଏସବୁ ଉପକରଣର ପର୍ଯ୍ୟାପ୍ତ ଷ୍ଟକ ସୁନିଶ୍ଚିତ କରାଯାଉଛି ।
ବିମାନ ବନ୍ଦର, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥାନ ମାର୍ଗରୁ ବାହାରକୁ ଆସୁଥିବା ସଂକ୍ରମିତ ଯାତ୍ରୀଙ୍କ ଲାଗି ପୃଥକୀକରଣ କେନ୍ଦ୍ର ବ୍ୟବସ୍ଥା ସହିତ ସେଠାକୁ ଏସବୁ ଯାତ୍ରୀଙ୍କୁ ନେବା ଲାଗି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଂଚ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଏହି କାର୍ଯ୍ୟ ପାଇଁ ମୁତୟନ ଦଳଗୁଡ଼ିକୁ ପୃଥକୀକରଣ କେନ୍ଦ୍ରର ନିୟମିତ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିବା ଲାଗି ନିର୍ଦ୍ଦେଶ ଦେଇଥବଲେ । ଯାହାଦ୍ୱାରା ଏଠାରେ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇପାରିବ । ଡ. ହର୍ଷବର୍ଦ୍ଧନ କହିଥିଲେ ଯେ ଆବଶ୍ୟକ ସୁବିଧାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ସେ ପ୍ରତିଦିନ ଏସବୁ ବ୍ୟବସ୍ଥାର ସମୀକ୍ଷା କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହିତ ସମ୍ପୂର୍ଣ୍ଣ ସ୍ଥିତିର ମଧ୍ୟ ସେ ସମୀକ୍ଷା କରୁଥିବା ସୂଚନା ଦେଇଥିଲେ ।
ସଂକଟର ମୁକାବିଲା ଲାଗି ଉପଯୁକ୍ତ ସାଧନ କୁହାଯାଉଥିବା ପ୍ରଭାବୀ ସଂଚାର ବ୍ୟବସ୍ଥାର ସ୍ୱତନ୍ତ୍ର ମହତ୍ୱ ଉପରେ ଆଲୋକପାତ କରି ଡ. ହର୍ଷବର୍ଦ୍ଧନ ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱାରୋପ କରୁଥିବା ମଲ୍ଟିମିଡିଆ ସଂଚାର ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ରୋଗ ନିରାକରଣ ଉପାୟ, ଗୁଜବକୁ ନିରାଧାର ପ୍ରମାଣିତ କରିବା, ଜନସାଧାରଣଙ୍କୁ ନିର୍ଦ୍ଦେଶାବାଳୀ, ମାର୍ଗଦର୍ଶିକା, ଟେଷ୍ଟିଂ ଲ୍ୟାବ ଆଦି ବିଷୟରେ ବିସ୍ତୃତ ସୂଚନା ଦେବା ଏସବୁ ଦିଗ ମଧ୍ୟରେ ସାମିଲ ରହିଛି ।